Categories: ଖେଳ

ଆଇସିସିର ଐତିହାସିକ ନିଷ୍ପତ୍ତି: ପୁରୁଷଙ୍କ ଭଳି ମହିଳାଙ୍କୁ ମିଳିବ ସମାନ ପୁରସ୍କାର

ନୂଆଦିଲ୍ଲୀ,୧୩।୭: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଡରବନରେ ଚାଲିଥିବା ଆଇସିସି ବାର୍ଷିକ ସମ୍ମିଳନୀରେ ମହିଳା ଏବଂ ପୁରୁଷ ଆଇସିସି ଇଭେଣ୍ଟକୁ ନେଇ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ମହିଳା କ୍ରିକେଟକୁ ନୂତନ ଗତି ଦେବା ପାଇଁ ଆଇସିସି ବର୍ତ୍ତମାନ ପୁରୁଷ ଇଭେଣ୍ଟରେ ମିଳୁଥିବା ପୁରସ୍କାର ରାଶିକୁ ସମାନ ଭାବେ ମହିଳା ଇଭେଣ୍ଟରେ ଦେବାକୁ ନିଷ୍ପତ୍ତି ନେଇଛି। ଆଇସିସିର ଏହି ନିଷ୍ପତ୍ତି ସମ୍ପର୍କରେ ଟୁଇଟ କରି ବିସିସିଆଇର ସଚିବ ଜୟ ଶାହା ଖୁସି ବ୍ୟକ୍ତ କରିଛନ୍ତି।

ଆଇସିସି ଇଭେଣ୍ଟରେ ପୁରୁଷଙ୍କ ତୁଳନାରେ ବର୍ତ୍ତମାନ ପର୍ଯ୍ୟନ୍ତ ମହିଳାମାନେ ସମାନ ପୁରସ୍କାର ରାଶି ପାଇନାହାଁନ୍ତି। ବର୍ତ୍ତମାନ ୨୦୨୩ ସୁଦ୍ଧା ସବୁ ସମାନ ହୋଇଯିବ। ବର୍ତ୍ତମାନ ଦିନିକିଆ, ଟି-୨୦ ଏବଂ ଅନ୍ୟାନ୍ୟ ଆଇସିସି ଟୁର୍ନାମେଣ୍ଟ ଯାହା ପୁରୁଷ ଏବଂ ମହିଳାମାନଙ୍କ ମଧ୍ୟରେ ଖେଳାଯାଏ, ସେଥିରେ ସମାନ ପୁରସ୍କାର ରାଶି ଦେଖିବାକୁ ମିଳିବ।

ଏହି ନିଷ୍ପତ୍ତି ସମ୍ପର୍କରେ ଆଇସିସି ଚେୟାରମ୍ୟାନ ଗ୍ରେଗ ବାର୍କେଲ କହିଛନ୍ତି ଯେ ଏହା ଆମ ପାଇଁ ଏକ ବଡ଼ ଏବଂ ଐତିହାସିକ ନିଷ୍ପତ୍ତି ଏବଂ ମୁଁ ଖୁସି ଯେ ବର୍ତ୍ତମାନ ପୁରୁଷ ଏବଂ ମହିଳା ଖେଳାଳିମାନେ ଆଇସିସି ଇଭେଣ୍ଟରେ ସମାନ ପୁରସ୍କାର ରାଶି ପାଇବେ।

Share