Categories: ଖେଳ

ହଟିଲା ସଫ୍ଟ ସିଗ୍‌ନାଲ: ଫ୍ରି ହିଟ୍‌ ପାଇଁ ଆସିଲା ନୂତନ ନିୟମ

ଦୁବାଇ,୧୫ା୫: ଅନ୍ତର୍ଜାତୀୟ କ୍ରିକେଟ୍‌ କାଉନସିଲ୍‌(ଆଇସିସି) ପକ୍ଷରୁ ସୋମବାର କେତେକ ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି। ଏପରିକି ବିବାଦୀୟ ସଫ୍ଟ ସିଗ୍‌ନାଲ ନିୟମକୁ ଆଇସିସି ହଟାଇ ଦେଇଛି।

ପୂର୍ବରୁ କୌଣସି କ୍ୟାଚ୍‌ର ନିଷ୍ପତ୍ତି ଟିଭି ଅମ୍ପାୟରଙ୍କୁ ରେଫର କରିବା ପୂର୍ବରୁ ଅନ୍ୟ ଫିଲ୍ଡ ଅମ୍ପାୟର ଆଉଟ ବା ନଟ୍‌ ଆଉଟର ସଫ୍ଟ ସିଗ୍‌ନାଲ ଦେଇଥାନ୍ତି। ଯେତେବେଳେ ଫୁଟେଜ୍‌ରେ ସ୍ପଷ୍ଟ ପ୍ରମାଣ ମିଳି ନ ଥାଏ ସେ ସମୟରେ ସଫ୍ଟ ସିଗ୍‌ନାଲ ଆଧାରରେ ହିଁ ଟିଭି ଅମ୍ପାୟର ନିଷ୍ପତ୍ତି ନେଇଥାନ୍ତି। ଏପରିକି ଖେଳାଳିମାନେ ଭୁଲ୍‌ରେ ନିଜ ଉଇକେଟ ହରାଉଥିବା କାରଣରୁ ଏହି ନିୟମକୁ କ୍ରିକେଟ ବିଶେଷଜ୍ଞମାନେ ସମାଲୋଚନା କରୁଥିଲେ।

ଆଇସିସିର କ୍ରିକେଟ ଏକ୍ଜିକ୍ୟୁଟିଭ୍‌ କମିଟି(ସିଇସି) ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ଅନୁସାରେ ସଫ୍ଟ ସିଗ୍‌ନାଲକୁ ହଟାଇବାକୁ ନିଷ୍ପତ୍ତି ନିଆଯାଇଛି। ପୁରୁଷ ଓ ମହିଳା କ୍ରିକେଟ କମିଟି ମୁଖ୍ୟ ସୌରଭ ଗାଙ୍ଗୁଲିଙ୍କ ପରାମର୍ଶକୁ ସିଇସିର ମଞ୍ଜୁରୀ ମିଳିବା ପରେ ସଫ୍ଟ ସିଗ୍‌ନାଲ ନିୟମକୁ ହଟାଇ ଦିଆଯାଇଛି। ଏପରିକି ଫ୍ରି ହିଟ୍‌ ନିୟମରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଫ୍ରି ହିଟ୍‌ ବଲ୍‌ ଯଦି ଷ୍ଟମ୍ପରେ ବାଜୁଥିଲା ଏଥିରେ ରନ୍‌ ସଂଗ୍ରହ କରି ହେଉ ନ ଥିଲା। ତେବେ ଏହି ନିୟମକୁ ମଧ୍ୟ ପରିବର୍ତ୍ତନ କରାଯାଇଛି। ଏଣିକି ଫ୍ରି ହିଟ୍‌ ବଲରେ ଖେଳାଳି ବୋଲ୍ଡ ହୋଇଥିଲେ ମଧ୍ୟ ରନ୍‌ ସଂଗ୍ରହ କରିପାରିବେ। ଏହି ନିମୟ ଜୁନ୍‌ ୧ରୁ ଲାଗୁ କରାଯିବ। ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲରେ ମଧ୍ୟ ଏହି ନିୟମ ଲାଗୁ ହେବ।

Share