Categories: ଖେଳ

ଆଇସିସି ଘୋଷଣା କଲା ରେକର୍ଡ ପୁରସ୍କାର ରାଶି: ଜାଣନ୍ତୁ କିଏ ପାଇବେ କେତେ…

ନ୍ୟୁୟର୍କ, ୩ା୬: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ସୋମବାର ଚଳିତ ଟି୨୦ ବିଶ୍ୱକପ୍‌ ପାଇଁ ରେକର୍ଡ ପୁରସ୍କାର ରାଶି ୧୧. ୨୫ ନିୟୁତ ଆମେରିକୀୟ ଡଲାର ଘୋଷଣା କରିଛି। ବିଜେତା ଦଳ ଅତି କମ୍‌ରେ ୨.୪୫ ନିୟୁତ ଡଲାର ପୁରସ୍କାର ରାଶି ପାଇବ।

ରନରଅପ୍‌ ଦଳ ଅତିକମ୍‌ରେ ୧.୨୮ ନିୟୁତ ଆମେରିକୀୟ ଡଲାର ପାଇବାକୁ ଥିବା ବେଳେ ପ୍ରତ୍ୟେକ ପରାଜିତ ସେମିଫାଇନାଲିଷ୍ଟ ପାଇଁ ୭୮୭,୫୦୦ ଡଲାର ବ୍ୟବସ୍ଥା ରହିଛି।

୨୦୨୨ରେ ପୂର୍ବ ସଂସ୍କରଣରେ ମୋଟ ପୁରସ୍କାର ରାଶି ୫.୬ ନିୟୁତ ଆମେରିକୀୟ ଡଲାର ରହିଥିଲା। ଟାଇଟଲ ବିଜେତା ଇଂଲଣ୍ଡ ୧.୬ ନିୟୁତ ଡଲାର ନେଇଥିଲା। ଆଇସିସି ପୁରୁଷ ଟି୨୦ ବିଶ୍ୱକପ୍‌ର ୯ମ ସଂସ୍କରଣ ୨୦ଟି ଦଳ ଅଂଶଗ୍ରହଣ କରୁଛନ୍ତି। ବିଜେତା ଦଳ ଟ୍ରଫି ସହ ଅତିକମ୍‌ରେ ୨.୪୫ ନିୟୁତ ଡଲାର ପାଇବେ, ଯାହାକି ଟୁର୍ନାମେଣ୍ଟ ଇତିହାସରେ ସର୍ବାଧିକ ବୋଲି ଆଇସିସି କହିଛି।

ଫାଇନାଲ ମ୍ୟାଚ ଜୁନ୍‌ ୨୯ରେ ବାର୍ବାଡୋସର କେନସିଙ୍ଗଟନ ଓଭାଲଠାରେ ହେବ। ସୁପର-୮ରୁ ବାଦ୍‌ ପଡ଼ିଥିବା ୪ଦଳ ପ୍ରତ୍ୟେକ ୩୮୨,୫୦୦ ଆମେରିକୀୟ ଡଲାର ଲେଖାଏଁ ପାଇବାକୁଥିବା ବେଳେ ୯ମ, ୧୦ମ, ୧୧ଶ, ୧୨ତମ ସ୍ଥାନ ଅଧିକାର କରିଥିବା ପ୍ରତ୍ୟେକ ଦଳ ୨୪୭, ୫୦୦ ଆମେରିକୀୟ ଡଲାର ଲେଖାଏଁ ପାଇବେ। ଅଂଶଗ୍ରହଣକାରୀ ଦଳଗୁଡ଼ିକ ମଧ୍ୟରୁ ୧୩ରୁ ୨୦ତମ ସ୍ଥାନ ଅଧିକାର କରିଥିବା ପ୍ରତ୍ୟେକ ଦଳ ୨୨୫,୦୦୦ ଡଲାର ଲେଖାଏଁ ପାଇବେ।

ଏହାଛଡ଼ା ସେମିଫାଇନାଲ ଓ ଫାଇନାଲକୁ ଛାଡ଼ି ପ୍ରତିଟି ମ୍ୟାଚରେ ବିଜୟ ପାଇଁ ଦଳକୁ ଅତିରିକ୍ତ ୩୧.୧୫୪ ଆମେରିକୀୟ ଡଲାର ପୁରସ୍କାର ବ୍ୟବସ୍ଥା ରହିଥିବା ଖେଳର ପରିଚାଳନା ପରିଷଦ କହିଛି। ୫୫ ମ୍ୟାଚ ବିଶିଷ୍ଟ ଇଭେଣ୍ଟ ୨୮ ଦିନ ଧରି ଓ୍ବେଷ୍ଟଇଣ୍ଡିଜ ଓ ୟୁଏସ୍‌ର ୯ଟି ଭେନ୍ୟୁରେ ଖେଳାଯିବ। ଏହା ହେଉଛି ସର୍ବ ବୃହତ୍‌ ଟି୨୦ ବିଶ୍ୱକପ୍‌। ଏଥରେ ରେକର୍ଡ ୨୦ଟି ଦଳ ଭାଗ ନେଉଛନ୍ତି। ୟୁଏସ୍‌ଏ, କାନାଡା ଓ ଉଗାଣ୍ଡା ଏଥିରେ ପ୍ରଥମ ଥର ଭାଗନେଉନ୍ତି। ଏହି ବର୍ଷର ଟୁର୍ନାମେଣ୍ଟରେ ୪୦ଟି ପ୍ରଥମ ରାଉଣ୍ଡ ମ୍ୟାଚ ଖେଳାଯିବ। ଶ୍ରେଷ୍ଠ ୮ ଦଳ ସୁପର ୮କୁ ଉନ୍ନୀତ ହେବେ। ତନ୍ମଧ୍ୟରୁ ଚାରୋଟି ଦଳ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବେ। ବାର୍ବାଡୋସରେ ଫାଇନାଲ ପୂର୍ବରୁ ତ୍ରିନିଦାନ ଓ ଟବାଗୋ ଏବଂ ଗୁୟାନାରେ ସେମିଫାଇନାଲ ଅନୁଷ୍ଠିତ ହେବ।

Share