Categories: ଖେଳ

ଟ୍ରାନ୍ସଜେଣ୍ଡର ଖେଳାଳିଙ୍କୁ ବ୍ୟାନ୍‌ କଲା ଆଇସିସି

ଅହମଦାବାଦ,୨୨ା୧୧(ପି.ଟି.): ଟ୍ରାନ୍ସଜେଣ୍ଡର ଖେଳାଳି ମାନଙ୍କୁ ମହିଳା କ୍ରିକେଟରୁ ବ୍ୟାନ୍‌ କରିଛି ଆଇସିସି। ମଙ୍ଗଳବାର ଆଇସିସିର ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଯେଉଁ ଖେଳାଳି ମାନେ ପୁରୁଷ ଭାବେ ଯୌବନ ହାସଲ କରି ସାରିଥିବେ ସେମାନେ ମହିଳା ବର୍ଗରେ କ୍ରିକେଟ ଖେଳି ପାରିବେ ନାହିଁ ବୋଲି ଆଇସିସି ସ୍ପଷ୍ଟ କରିଛି। ଲିଙ୍ଗ ନିରୂପଣ ପାଇଁ ମଙ୍ଗଳବାର ଆଇସିସି ପକ୍ଷରୁ ନୂତନ ନିୟମ ଲାଗୁ କରାଯାଇଛି। ୯ ମାସ ଧରି ଏହି ନିୟମର ସମୀକ୍ଷା କରାଯିବା ପରେ ଆଇସିସି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଦୀର୍ଘ ବର୍ଷ ଧରି ଅନ୍ତର୍ଜାତୀୟ ସ୍ତରରେ ଲିଙ୍ଗ ନିରୂପଣକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି। କ୍ରିକେଟରେ ଏହାକୁ ନେଇ କୌଣସି ସ୍ପଷ୍ଟ ନିୟମ ରହି ନ ଥିବା ବେଳେ ୨୦୨୮ରେ କ୍ରିକେଟ ଅଲିମ୍ପିକ୍ସରେ ସାମିଲ ହେଉଥିବାରୁ ଏଭଳି ନଷ୍ପତ୍ତି ନିଆଯାଇଛି। ଏହା ସହିତ ବିଶ୍ୱର ପ୍ରଥମ ଟ୍ରାନ୍ସଜେଣ୍ଡର ଖେଳାଳି ଡାନିଏଲ ମ୍ୟାକଗାହେଙ୍କୁ ବ୍ୟାନ୍‌ କରାଯାଇଛି। ପୂର୍ବରୁ ଆଇସିସିର ରହିଥିବା ଆଇସିସିର ନିୟମ ମେଲ୍‌ ଟୁ ଫିମେଲ ନିୟମ ଅନୁସାରେ ଡାନିଏଲଙ୍କୁ ଖେଳିବାକୁ ସୁଯୋଗ ମିଳିଥିଲା। ଜନ୍ମରୁ ପୁରୁଷ ରହିଥିବା ଡାନିଏଲ ଅସ୍ତ୍ରୋପଚାର ପରେ ମହିଳା ହୋଇଥିଲେ। ଅଷ୍ଟ୍ରେଲିଆର ମୂଳ ନିବାସୀ ଡାନିଏଲ ୨୦୨୦ରେ କାନାଡାକୁ ଯାଇ ପୁରୁଷରୁ ମହିଳା ହେବାର ଚିକିତ୍ସା କରାଇଥିଲେ।
କାନାଡା ପକ୍ଷରୁ ଆସନ୍ତା ୨୦୨୪ ମହିଳା ଟି୨୦ ବିଶ୍ୱକପର ଯୋଗ୍ୟତା ପର୍ଯ୍ୟାୟ ଖେଳି ଡାନିଏଲ ମ୍ୟାକଗାହେ ଇତିହାସ ରଚିଥିଲେ। ୨୯ ବର୍ଷୀୟ ଡାନିଏଲ ଜଣେ ଓପନିଙ୍ଗ ବ୍ୟାଟର। ଲସଏଞ୍ଜେଲସରେ ସେପ୍ଟେମ୍ବର ୪ରୁ ୧୧ ତାରିଖ ପର୍ଯ୍ୟନ୍ତ ଏହି ଟୁର୍ନାମେଣ୍ଟ ଖେଳାଯାଇଥିଲା। ଟି୨୦ ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିବା ପାଇଁ ଆର୍ଜେଣ୍ଟିନା, ବ୍ରାଜିଲ ଓ ଯୁକ୍ତରାଷ୍ଟ୍ର ଆମେରିକା ସହିତ ଗୋଟିଏ ଗ୍ରୁପ୍‌ରେ ଖେଳିଥିଲା କାନାଡା। ବିଶ୍ୱରେ ଆଥଲେଟିକ୍ସ ଓ ସନ୍ତରଣ ପରି ଇଭେଣ୍ଟରେ ଉଭୟ ପୁରୁଷ ଓ ମହିଳା ଖେଳାଳିଙ୍କୁ ମିକ୍ସଡ ଇଭେଣ୍ଟରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିଥାଏ। ତେବେ ମହିଳା ଆଥଲେଟଙ୍କ ଟେଷ୍ଟୋଷ୍ଟେରନ ସ୍ତର ୨.୫ ନାନୋ ମୋଲ ପ୍ରତି ଲିଟର ରହିବା ଆବଶ୍ୟକ।

Share