Categories: ଖେଳ

‘ବିସିସିଆଇ ଆଗରେ କିଛି କରିପାରିବ ନାହିଁ ଆଇସିସି’

ଇସଲାମାବାଦ୍‌,୧୬।୨: ଚଳିତ ବର୍ଷର ଏସିଆ କପ ଆୟୋଜନ କରିବ ସେନେଇ ଦ୍ୱନ୍ଦ୍ୱ ଶେଷ ହେବା ଭଳି ମନେ ହେଉନାହିଁ। ୨୦୨୩ ଏସିଆ କପର ଆୟୋଜକ ଦାୟିତ୍ୱ ପାକିସ୍ତାନ ହାତରେ ରହିଛି। ଗତ ବର୍ଷ ଏସୀୟ କ୍ରିକେଟ ପରିଷଦ(ଏସିସି)ର ସଭାପତି ଥିବା ବିସିସିଆଇ ସଚିବ ଜୟ ଶାହା କହିଥିଲେ ଯେ, ଏସିଆ କପରେ ଭାଗ ନେବାକୁ ଭାରତ ପାକିସ୍ତାନ ଯିବ ନାହିଁ। ନିକଟରେ ଏସିଆ କପ୍‌ର ସର୍ବଶେଷ ସ୍ଥାନ ଏସିସି ବୈଠକରେ ସ୍ଥଗିତ ରଖାଯାଇଛି। ଏହାକୁ ନେଇ ପାକିସ୍ତାନର ପୂର୍ବତନ କ୍ରିକେଟର୍‌ମାନେ ଆଇସିସିକୁ ଦାୟୀ କରିଛନ୍ତି।
ନିକଟରେ ପାକିସ୍ତାନର ପୂର୍ବତନ ଅଧିନାୟକ ଶହିଦ୍‌ ଆଫ୍ରିଦି ଏନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଭାରତ ନିଜକୁ ଏତେ ଶକ୍ତିଶାଳୀ କରିଛି ସେଥିପାଇଁ ସେମାନେ ଆଖି ଦେଖାଉଛନ୍ତି। ଅନ୍ୟଥା, ସେ ଏପରି କହିବାକୁ ସାହସ କରି ନ ଥାନ୍ତେ। ଏସିଆ କପରେ ଖେଳିବାକୁ ଭାରତ ପାକିସ୍ତାନ ଆସିବ କି ନାହିଁ ମୋର କୌଣସି ଧାରଣା ନାହିଁ। ଭାରତରେ ଖେଳାଯିବାକୁ ଥିବା ବିଶ୍ୱକପ ଉପରେ ବୟକଟ୍‌ କରିବୁ କି? କିନ୍ତୁ ଆମେ କିଛି ବିନ୍ଦୁ ଉପରେ ନିଷ୍ପତ୍ତି ନେବା ଆବଶ୍ୟକ। ଏହି ପ୍ରସଙ୍ଗରେ ଆଇସିସିର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସେ ଆଗକୁ ଆସିବା ଉଚିତ୍‌। କିନ୍ତୁ ମୋର ବିଶ୍ୱାସ ଯେ ଆଇସିସି ବିସିସିଆଇ ସାମ୍ନାରେ କିଛି କରିବାକୁ ସକ୍ଷମ ହେବ ନାହିଁ।

Share