Categories: ଖେଳ

ପ୍ରକାଶ ପାଇଲା ଆଇସିସି ଦିନିକିଆ ଖେଳାଳି ର଼୍ୟାଙ୍କିଙ୍ଗ୍‌

ଦୁବାଇ, ୭ା୧୨: ଆଇସିସିର ଦିନିକିଆ ଖେଳାଳି ର଼୍ୟାଙ୍କିଙ୍ଗ ତାଲିକା ବୁଧବାର ପ୍ରକାଶ ପାଇଛି। ଏଥିରେ ଭାରତ ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲି ଯଥାକ୍ରମେ ସେମାନଙ୍କ ୯ମ ଓ ୧୦ମ ସ୍ଥାନ ବଜାୟ ରଖିଛନ୍ତି। ଏଥିରେ କିନ୍ତୁ ଶ୍ରେୟସ ଆୟର ଓ କେ.ଏଲ୍‌ ରାହୁଲଙ୍କର ଉନ୍ନତି ଘଟିଛି। ବାଂଲାଦେଶ ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆରେ ୨୪ରନ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷ ଫାଇନାଲ ଗେମ୍‌ରେ ୪୯ ରନ ପାଇଁ ଆୟର ୭ ସ୍ଥାନ ପଦୋନ୍ନତି ପାଇ ମିଳିତ ୨୦ତମ ସ୍ଥାନରେ ଅଛନ୍ତି। ଅନ୍ୟପକ୍ଷରେ ମୀରପୁରରେ ୭୩ ରନ ସ୍କୋର କରିଥିବା ରାହୁଲ ୪ସ୍ଥାନ ଜମ୍ପ କରି ୩୫ତମ ସ୍ଥାନ ଅଧିକାର କରିଛନ୍ତି। ଟପ୍‌ ୧୦ରେ କେବଳ ଦୁଇ ଭାରତୀୟ ରୋହିତ ଓ କୋହଲି ରହିଛନ୍ତି। ବାଂଲାଦେଶ ବିପକ୍ଷ ଓପନିଂ ଗେମ୍‌ରେ ଭଲ ପ୍ରଦର୍ଶନ କରିଥିବାରୁ ଭାରତର ଦୁଇ ପେସର ମହମ୍ମଦ ସିରାଜ ଓ ଶାର୍ଦ୍ଦୂଳ ଠାକୁରଙ୍କର ମଧ୍ୟ ଉନ୍ନତି ଦେଖିବାକୁ ମିଳିଛି। ସିରାଜ ଶ୍ରୀଲଙ୍କା ଲେଗ୍‌ ସ୍ପିନର ଓ୍ବାନିନ୍ଦୁ ହସରଙ୍ଗାଙ୍କ ସହ ମିଳିତ ୨୬ତମ ସ୍ଥାନ ଅଧିକାର କରିଛନ୍ତି। ଠାକୁର ୯ ସ୍ଥାନ ଲମ୍ଫ କରି ୪୨ତମ ସ୍ଥାନରେ ଅଛନ୍ତି। ଅନ୍ୟପକ୍ଷରେ ଭାରତ ବିପକ୍ଷରେ ୫ ଉଇକେଟ ସଫଳତା ପାଇଁ ବାଂଲାଦେଶର ଷ୍ଟାର ଅଲରାଉଣ୍ଡର ଶକିବ ଅଲ୍‌ ହସନ ୭ ସ୍ଥାନ ପଦୋନ୍ନତି ପାଇ ବୋଲରମାନଙ୍କ ମଧ୍ୟରେ ୯ମ ସ୍ଥାନ ଅଧିକାର କରିନେଇଛନ୍ତି।

Share