Categories: ଖେଳ

ଆଙ୍ଗୁଠିରେ କ୍ରିମ ଲଗାଇ ଫସିଲେ, ଜାଡେଜାଙ୍କ ଉପରେ ଜରିମାନା ଲଗାଇଲା ଆଇସିସି

ନାଗପୁର,୧୧।୨: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ହିରୋ ପାଲଟିଥିବା ରବିନ୍ଦ୍ର ଜାଡେଜାଙ୍କର ଅଡୁଆ ବଢ଼ିଛି। ତାଙ୍କ ଉପରେ ଆଇସିସି ଜରିମାନା ଲଗାଇଛି। ବିନା ଅନୁମତିରେ ଆଙ୍ଗୁଠିରେ ଯନ୍ତ୍ରଣା ଉପଶମକାରୀ କ୍ରିମ୍‌ ଲଗାଇଥିବାରୁ ତାଙ୍କ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଟେଷ୍ଟ ଶେଷ ହେବା ପରେ ଆଇସିସି ପକ୍ଷରୁ ଏନେଇ ବିବୃତ୍ତି ଜାରି କରାଯିବା ସହ ତାଙ୍କ ଆକାଉଣ୍ଟରେ ଏକ ଡିମେରିଟ୍‌ ପଏଣ୍ଟ ମଧ୍ୟ ଯୋଡ଼ା ଯାଇଛି।

ଜାଡେଜା ଆଇସିସି ଆଚରଣ ବିଧି ମଧ୍ୟରୁ ଗୋଟିଏ ସ୍ତର ଉଲ୍ଲଂଘନ କରି ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏଥିଲାଗି ତାଙ୍କୁ ମ୍ୟାଚ୍‌ ଫି’ର ୨୫% ଜରିମାନା କରାଯାଇଛି। ଏହାଛଡ଼ା ଜାଡେଜା ଆଚରଣ ସଂହିତାର ଧାରା ୨.୨୦ ଉଲ୍ଲଂଘନ କରି ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହା ଖେଳର ସ୍ପିରିଟ୍‌ ସହ ଜଡ଼ିତ। ଗତ ୨୪ ମାସ ମଧ୍ୟରେ ଏହା ହେଉଛି ତାଙ୍କର ପ୍ରଥମ ଅପରାଧ।

ଟେଷ୍ଟର ପ୍ରଥମ ଇନିଂସର ୪୬ତମ ଓଭରରେ ଜାଡ଼େଜା ତାଙ୍କ ବିଶି ଆଙ୍ଗୁଠିରେ ଯନ୍ତ୍ରଣା ଉପଶମକାରୀ କ୍ରିମ ଲଗାଇଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାପରେ ଅଧିନାୟକ ରୋହିତ ଶର୍ମା, ରବିନ୍ଦ୍ର ଜାଡେଜା ଏବଂ ଟିମ୍‌ ମ୍ୟାନେଜର ରେଫରିଙ୍କୁ ଭେଟି ସେମାନଙ୍କ ପକ୍ଷ ରଖିଥିଲେ। ଜାଡେଜା ତାଙ୍କ ଉପରେ ଲଗାଯାଇଥିବା ଅଭିଯୋଗକୁ ଗ୍ରହଣ କରିଥିବା ଯୋଗୁ ଏହି ମାମଲାରେ ଆନୁଷ୍ଠାନିକ ଶୁଣାଣି କରାଯାଇନାହିଁ।

Share