Categories: ଖେଳ

ଇନ୍ଦୋର ପିଚ୍‌ ବିରୋଧରେ ଆଇସିସି ନେଲା କଡ଼ା କାର୍ଯ୍ୟାନୁଷ୍ଠାନ

ଦୁବାଇ,୪।୩: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟେଷ୍ଟ ମ୍ୟାଚ୍‌ର ପିଚ୍‌କୁ ଖରାପ ବୋଲି କହିଛି ଆଇସିସି। ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ ମାତ୍ର ଅଢ଼େଇ ଦିନରେ ଶେଷ ହୋଇଥିଲା। ଟେଷ୍ଟର ପ୍ରଥମ ଇନିଂସରେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଭାରତୀୟ ଟିମ୍‌ ମାତ୍ର ୧୦୯ ରନ୍‌ କରି ଅଲଆଉଟ୍‌ ହୋଇଥିଲା। ମ୍ୟାଚ୍‌ର ୬ଷ୍ଠ ଓଭରରେ ବଲ୍‌ ସ୍ପିନ୍‌ କରିବା ଆରମ୍ଭ କରିଥିଲା। ଏଭଳି ସ୍ଥିତିରେ ପିଚ୍‌କୁ ନେଇ ବିତର୍କ ଆରମ୍ଭ ହୋଇଥିଲା। ଏବେ ଆଇସିସି ଏହାକୁ ଖରାପ ପିଚ୍‌ ଭାବେ ବିବେଚନା କରିଛି। ଉଭୟ ଦଳର ଅଧିନାୟକଙ୍କ ସହ ପରାମର୍ଶ ପରେ ଆଇସିସି ମ୍ୟାଚ୍‌ ରେଫରୀ କ୍ରିସ ବ୍ରୋଡ୍‌ ନିଜର ରିପୋର୍ଟ ଦେବା ସହ ଷ୍ଟାଡିୟମକୁ ତିନି ଡିମେରିଟ୍‌ ପଏଣ୍ଟ ଦେଇଛନ୍ତି। ଆଇସିସିର ଏହି ନିଷ୍ପତ୍ତି ବିରୋଧରେ ଆବେଦନ କରିବାକୁ ବିସିସିଆଇ ନିକଟରେ ୧୪ ଦିନ ବାକି ଅଛି। ଆଇସିସି ପିଚ୍‌ ଏବଂ ଆଉଟ୍‌ଫିଲ୍ଡ ମନିଂଟରିଂ କାର୍ଯ୍ୟକ୍ରମ ନିୟମ ଅନୁଯାୟୀ ହୋଲକର ଷ୍ଟାଡିୟମକୁ ୫ ବର୍ଷରେ ୫ କିମ୍ବା ଅଧିକ ଡିମେରିଟ୍‌ ମାର୍କ ମିଳିଲେ ୧୨ ମାସ ଯାଏ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍‌ ଆୟୋଜିତ ହୋଇପାରିବ ନାହିଁ।

Share