Categories: ଖେଳ

ଟି-୨୦ କ୍ରିକେଟର ନିୟମ ବଦଳାଇଲା ଆଇସିସି; ଏଥର ସ୍ଲୋ ଓଭର ରେଟ୍‌ ପାଇଁ ମିଳିବ…

ଦୁବାଇ, ୭।୧: ଟି-୨୦ କ୍ରିକେଟର ନିୟମ ବଦଳିଲା । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ଶୁକ୍ରବାର ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ନିୟମ ପରିବର୍ତ୍ତନ କରିଛି। ଜାନୁୟାରୀ ୧୬ରେ ୱେଷ୍ଟଇଣ୍ଡିଜ ଓ ଆୟର୍ଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଟି-୨୦ ମ୍ୟାଚରୁ ଏହି ନୂଆ ନିୟମ କାର୍ଯ୍ୟକାରୀ ହେବ ।

ଆଇସିସିର ନିୟମ ଅନୁଯାୟୀ, ଉଭୟ ପୁରୁଷ ଓ ମହିଳା ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ସ୍ଲୋ-ଓଭର ରେଟ୍‌ ପାଇଁ ଦଣ୍ଡ ସେହି ମ୍ୟାଚ ମଧ୍ୟରେ ଦିଆଯିବ । ଖେଳାଳି ଏବଂ ସପୋର୍ଟ ଷ୍ଟାଫ୍‌ଙ୍କ ଲାଗି ଆଇସିସି ଆଚାର ସଂହିତା ଧାରା ୨.୨୨ ଅନୁଯାୟୀ ସ୍ଲୋ ଓଭର ରେଟ୍‌ ପାଇଁ ଡିମେରିଟ୍‌ ପଏଣ୍ଟ ଏବଂ ଦଳ ତଥା ଅଧିନାୟକଙ୍କ ଉପରେ ଆର୍ଥିକ ଦଣ୍ଡ ଅନ୍ତର୍ଭୁକ୍ତ। ଏହା ସହିତ ଦ୍ୱିପାକ୍ଷିକ ଅନ୍ତର୍ଜାତୀୟ ଟି-୨୦ ସିରିଜର ପ୍ରତ୍ୟେକ ଇନିଂସ ମଧ୍ୟରେ ଅଢ଼େଇ ମିନିଟର ଡ୍ରିଙ୍କ୍ସ ବ୍ରେକ ନେଇ ପାରିବେ। କିନ୍ତୁ ଏଥିପାଇଁ ଟି-୨୦ ସିରିଜ ପୂର୍ବରୁ ଉଭୟ ଦେଶର ବୋର୍ଡ ଏହା ଉପରେ ଆପୋଷ ବୁଝାମଣା କରିବାକୁ ପଡ଼ିବ ।

ନୂଆ ନିୟମ ଅନୁସାରେ ଯଦି ଏକ ଟିମ ନିର୍ଦ୍ଧାରିତ ସମୟ ପଛରେ ରହିବ ତେବେ ଅବଶିଷ୍ଟ ଓଭରରେ ବୋଲିଂ ଦଳର ଗୋଟିଏ କମ ଖେଳାଳି ୩୦ ଗଜ ବାହାରେ ରହିବେ। ଅର୍ଥାତ ବର୍ତ୍ତମାନ ପାୱାର ପ୍ଲେ ପରେ ୩୦ ଗଜ ବାହାରେ ୫ ଜଣ ଖେଳାଳି ରହୁଥିଲେ । କିନ୍ତୁ ଓଭର ରେଟ ପାଇଁ ପେନାଲ୍‌ଟି ପାଇବା ପରେ କେବଳ ଚାରି ଜଣ ଫିଲ୍ଡର ବାହାରେ ରହିପାରିବେ ।

Share