Categories: ଖେଳ

ଟ୍ରଫି ଟୁର୍‌ ଲଞ୍ଚ କଲା ଆଇସିସି

ଦୁବାଇ, ୨୭ା୬(ପି.ଟି.): ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ର ଟ୍ରଫି ଲଞ୍ଚ କରିଛି ଆଇସିସି। ସୋମବାର ଆଇସିସି ପକ୍ଷରୁ ପୃଥିବୀ ପୃଷ୍ଠର ୧ ଲକ୍ଷ ୨୦ ହଜାର ଫୁଟ ଉପରେ ଟ୍ରଫି ଲଞ୍ଚ କରାଯାଇଥିଲା। ଏହା ପରେ ଅହମଦାବାଦ ସ୍ଥିତ ନରେନ୍ଦ୍ର ମୋଦୀ କ୍ରିକେଟ ଷ୍ଟାଡିୟମରେ ଟ୍ରଫି ଲ୍ୟାଣ୍ଡ କରିଥିଲା। ଏକ ବେସ୍ପୋକ ବେଲୁନ୍‌ରେ ଟ୍ରଫିକୁ ବନ୍ଧା ଯାଇ ଟ୍ରଫିକୁ ଛଡା ଯାଇଥିବା ବେଳେ ୪କେ କ୍ୟାମେରାରେ ଏହାର ଶୁଟିଂ କରାଯାଇଥିଲା। ଜୁନ୍‌ ୨୭ ତାରିଖରୁ ଯାତ୍ରା ଆରମ୍ଭ କରିବ ବିଶ୍ୱକପ ଟ୍ରଫି। କୁଏଟ୍‌, ବାହାରିନ୍‌, ମାଲେସିଆ, ଆମେରିକା, ନାଇଜେରିଆ, ଉଗାଣ୍ଡା, ଫ୍ରାନ୍ସ ଏବଂ ଇଟାଲୀ ପରି ୧୮ଟିଦେଶ ଭ୍ରମଣ କରିବା ପରେ ଆୟୋଜକ ଦେଶ ଭାରତରେ ଟ୍ରଫି ପହଞ୍ଚିବ।
ବିଭିନ୍ନ ଦେଶ ମଧ୍ୟରେ ଟ୍ରଫି ଯାତ୍ରା କରିବାକୁ ଥିବା ବେଳେ ଲକ୍ଷ ଲକ୍ଷ ଫ୍ୟାନ୍‌ ଏହାର ଦର୍ଶନ କରିବେ। ସମଗ୍ର ବିଶ୍ୱରେ କ୍ରିକେଟର ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଆଇସିସି ଇତିହାସର ବୃହତ ଇଭେଣ୍ଟ କରିବା ପାଇଁ ଆମେ ପ୍ରସ୍ତୁତ ବୋଲି ଆଇସିସି ମୁଖ୍ୟ କାର୍ଯ୍ୟ ନିର୍ବାହୀ ଜିଓଫ୍‌ ଆଲାର୍ଡାଇସ୍‌ ପ୍ରକାଶ କରିଛନ୍ତି।
ଭାରତୀୟଙ୍କୁ କ୍ରିକେଟ ସର୍ବଦା ଏକତ୍ରିତ କରିଥାଏ। ୧୪୦ କୋଟି ଦେଶବାସୀଙ୍କ ମଧ୍ୟରେ ଏହା ଏକ ଅଫୁରନ୍ତ ଉତ୍ସାହ ସୃଷ୍ଟି କରୁଥିବା ବେଳେ ବିଶ୍ୱର ଶ୍ରେଷ୍ଠ ୧୦ ଦଳ ଏଥିରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି। ୬ ସପ୍ତାହର ନନ୍‌ ଷ୍ଟପ୍‌ କ୍ରିକେଟ ପାଇଁ ଭାରତ ବାସୀ ପ୍ରସ୍ତୁତ ବୋଲି ବିସିସିଆଇ ସମ୍ପାଦକ ଜୟ ଶାହା ପ୍ରକାଶ କରିଛନ୍ତି। ଜୁନ୍‌ ୨୭ରୁ ଆରମ୍ଭ ହେବାକୁ ଥିବା ଟ୍ରଫି ଟୁର୍‌ ୧୮ ଦେଶ ଭ୍ରମଣ କରିବା ପରେ ସେପ୍ଟେମ୍ବର ୪ ତାରିଖରେ ଭାରତରେ ପହଞ୍ଚିବ।

Share