ଖ୍ରୀଷ୍ଟଚର୍ଚ୍ଚ,୩।୪: ମହିଳା ବିଶ୍ୱକପ ୨୦୨୨ର ଫାଇନାଲରେ ଅଷ୍ଟ୍ରେଲିଆ ଇଂଲଣ୍ଡକୁ ୭୧ ରନରେ ପରାସ୍ତ କରି ସପ୍ତମ ଥର ପାଇଁ ଟାଇଟଲ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଦଳ ୩୫୬ ରନ ସ୍କୋର କରିଥିଲା। ମହିଳା କ୍ରିକେଟ ବିଶ୍ୱକପ ଫାଇନାଲରେ ଏହା ସର୍ବାଧିକ ସ୍କୋର ଥିଲା । ଏହାର ଜବାବରେ ଇଂଲଣ୍ଡର ଦଳ କିଛି ବିଶେଷ କରିପାରି ନ ଥିଲା। ଚତୁର୍ଥ ଥର ପାଇଁ ମହିଳା ବିଶ୍ୱ ଫାଇନାଲରେ ଇଂଲଣ୍ଡ ପରାଜୟର ସମ୍ମୁଖୀନ ହୋଇଥିଲା। ଏହାପୂର୍ବରୁ ଅଷ୍ଟ୍ରେଲିଆ ୧୯୭୮, ୧୯୮୨ ଏବଂ ୧୯୮୮ରେ କ୍ରମାଗତ ତିନିଥର ମହିଳା ବିଶ୍ୱକପ ଫାଇନାଲରେ ଇଂଲଣ୍ଡକୁ ପରାସ୍ତ କରିଥିଲା।
ଏହି ମ୍ୟାଚରେ ଇଂଲଣ୍ଡ ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ପାଞ୍ଚ ଉଇକେଟ ହରାଇ ୩୫୬ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଇଂଲଣ୍ଡ ଦଳ ୨୮୫ ରନ ସ୍କୋର କରିପାରି ଥିଲା।