Categories: ଖେଳ

ଏହି ୧୧ ଖେଳାଳିଙ୍କୁ ନେଇ ମଇଦାନକୁ ଓହ୍ଲାଇବ ଭାରତୀୟ ଟିମ୍‌! ଜାଣନ୍ତୁ କିଏ ନେବ ଗିଲଙ୍କ ସ୍ଥାନ

ଚେନ୍ନାଇ,୮।୧୦: ଆଇସିସି ବିଶ୍ୱକପ ୨୦୨୩ରେ ଭାରତୀୟ ଦଳ ରବିବାର ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବ। ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ ଚେନ୍ନାଇର ଏମ୍‌ ଚିଦାମ୍ବରମ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ତେବେ ବିଜୟରୁ ଟୁର୍ନାମେଣ୍ଟରେ ନିଜର ଯାତ୍ରା ଆରମ୍ଭ କରିବାକୁ ରୋହିତଙ୍କ ପ୍ଲାଟୁନର ନଜର ରହିବ। ଅପରପକ୍ଷେ କଙ୍ଗାରୁ ଟିମ୍‌ ମଧ୍ୟ ବିଜେତା ହେବାର ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ।

ମ୍ୟାଚ୍‌ ପୂବରେୁ ଭାରତୀୟ ଦଳର ଇନ-ଫର୍ମ ବ୍ୟାଟ୍ସମ୍ୟାନ ଶୁବମନ ଗିଲ ଡେଙ୍ଗୁରେ ପୀଡ଼ିତ ହୋଇ ଅସୁସ୍ଥ ହୋଇଛନ୍ତି। ଏଣୁ ଦଳ ତାଙ୍କ ବିନା ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ। ଗିଲଙ୍କ ସ୍ଥାନରେ ଈଶାନ କିଶନ ରୋହିତ ଶର୍ମାଙ୍କ ସହ ଓପନିଂ କରିବେ। ଏହାଛଡ଼ା ତିନି ନମ୍ବର ସ୍ଥାନରେ ବିରାଟ କୋହଲି ଏବଂ ମଧ୍ୟକ୍ରମରେ ଶ୍ରେୟସ ଆୟର, କେ.ଏଲ୍‌ ରାହୁଲ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରମୁଖ ରହିବେ।

ସେହିଭଳି ବୋଲିଂ ବିଷୟରେ କହିଲେ ଚେନ୍ନାଇର ଏମ ଚିଦାମ୍ବରମ କ୍ରିକେଟ ଷ୍ଟାଡିୟମର ପିଚ୍‌କୁ ଦେଖି ଭାରତ ଏକାଦଶରେ ୩ ଜଣ ସ୍ପିନରଙ୍କୁ ସାମିଲ କରିଛି। କୁଲଦୀପ ଯାଦବଙ୍କ ସହ ରବିଚନ୍ଦ୍ରନ ଅଶ୍ୱିନ ଏବଂ ରବିନ୍ଦ୍ର ଜାଡେଜା ପ୍ରମୁଖ ସ୍ପିନ ବୋଲିଂକୁ ସମ୍ଭାଳିବେ। ଏହାଛଡ଼ା ଜସପ୍ରୀତ ବୁମ୍‌ରା ଏବଂ ମହମ୍ମଦ ସିରାଜ ପେସ୍‌ ଆକ୍ରମଣରେ କଙ୍ଗାରୁ ଟିମ୍‌କୁ ଅଡୁଆରେ ପକାଇପାରନ୍ତି।

ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ସମ୍ଭାବ୍ୟ ଏକାଦଶ:
ରୋହିତ ଶର୍ମା (ଅଧିନାୟକ), ଇଶାନ କିଶନ, ବିରାଟ କୋହଲି, ଶ୍ରେୟସ ଆୟର, କେ.ଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ, କୁଲଦୀପ ଯାଦବ, ଜସପ୍ରୀତ ବୁମରା, ମହମ୍ମଦ ସିରାଜ

 

କେବେ ଏବଂ କେଉଁଠି ଦେଖିବେ:
ସମୟ: ଅପରାହ୍ନ ୨ଟା
ପ୍ରସାରଣ: ଷ୍ଟାର ସ୍ପୋଟ୍ସ
ଅନ୍‌ଲାଇନ୍‌: ଡିଜ୍‌ନୀ ପ୍ଲସ ହଟ୍‌ଷ୍ଟାର ଆପ୍‌

Share