Categories: ଖେଳ

୨୦୨୩ ଦିନିକିଆ ବିଶ୍ୱକପ୍‌: ଭାରତ ଆସିବାକୁ ‘ଯେସାକୁ ତେସା’ ନୀତି ଅବଲମ୍ବନ କରିବାକୁ ଚାହୁଁଛି ପାକିସ୍ତାନ

ଇସଲାମାବାଦ୍‌,୯।୭: ୨୦୨୩ ଦିନିକିଆ ବିଶ୍ୱକପ୍‌ ଭାରତରେ ଖେଳାଯିବ। ଆଇସିସି ଦ୍ୱାରା ଟୁର୍ନାମେଣ୍ଟ ପାଇଁ କାର୍ଯ୍ୟସୂଚୀ ମଧ୍ୟ ପ୍ରକାଶ ପାଇଛି। କିନ୍ତୁ ଏପର୍ଯ୍ୟନ୍ତ ପାକିସ୍ତାନ ଭାରତ ଆସିବା ନେଇ ସ୍ପଷ୍ଟ ହୋଇନାହିଁ। ଏସୀୟ କ୍ରିକେଟ ପରିଷଦ ଏବଂ ଆଇସିସି ପାକିସ୍ତାନରୁ ଏକ ବୁଝାମଣା ପତ୍ର ପାଇଥାଇ ପାରେ, କିନ୍ତୁ ପିସିବିରେ ପରିବର୍ତ୍ତନ ପରେ ଜିନିଷ ପୁଣି ଜଟିଳ ହେବାରେ ଲାଗିଛି।
ବର୍ତ୍ତମାନ ପାକିସ୍ତାନର କ୍ରୀଡ଼ା ମନ୍ତ୍ରୀ ଏହସାନ ମଜାରୀ କହିଛନ୍ତି, ଯଦି ଭାରତୀୟ ଦଳ ଏସିଆ କପ ପାଇଁ ଏକ ନିରପେକ୍ଷ ସ୍ଥାନ ଦାବି କରେ, ତେବେ ଆମେ ବିଶ୍ୱକପ ପାଇଁ ଭାରତ ଯିବୁ ନାହିଁ। ଏହା ମୋର ବ୍ୟକ୍ତିଗତ ମତ, କାରଣ ପାକିସ୍ତାନ କ୍ରିକେଟ ବୋର୍ଡ ମୋର ମନ୍ତ୍ରଣାଳୟ ଅଧୀନରେ ଅଛି। ତେଣୁ ଯଦି ଏସିଆ କପରେ ନିରପେକ୍ଷ ସ୍ଥାନରେ ଭାରତ ସେମାନଙ୍କ ମ୍ୟାଚ ଖେଳିବାକୁ ଦାବି କରେ, ତେବେ ଭାରତରେ ଖେଳାଯିବାକୁ ଥିବା ବିଶ୍ୱକପ ପାଇଁ ମଧ୍ୟ ସମାନ ଦାବି କରିବୁ।
ମଜାରୀ ଆହୁରି ମଧ୍ୟ କହିଛନ୍ତି, ଅହମ୍ମଦାବାଦରେ ଖେଳିବାରେ ତାଙ୍କର କୌଣସି ଅସୁବିଧା ନାହିଁ, କିନ୍ତୁ ଏଥିପାଇଁ ଭାରତୀୟ ଦଳକୁ ପାକିସ୍ତାନ ଆସିବାକୁ ପଡ଼ିବ। ଏଥି ସହ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ବୈଦଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋଙ୍କ ନେତୃତ୍ୱରେ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରିଛନ୍ତି।
ସେହି କମିଟି ସମ୍ପର୍କରେ ପାକିସ୍ତାନର କ୍ରୀଡ଼ା ମନ୍ତ୍ରୀ କହିଛନ୍ତି, ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଏହି କମିଟିର ମୁଖ୍ୟ ହେବେ ଏବଂ ମୁଁ ମଧ୍ୟ ୧୧ ଜଣ ମନ୍ତ୍ରୀଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ, ଯେଉଁମାନେ କମିଟିର ଅଂଶବିଶେଷ। ଆମେ ଏହି ପ୍ରସଙ୍ଗରେ ଆଲୋଚନା କରିବୁ ଏବଂ ପ୍ରଧାନମନ୍ତ୍ରୀଙ୍କୁ ସୁପାରିଶ କରିବୁ। ପ୍ରଧାନମନ୍ତ୍ରୀ ଚୂଡ଼ାନ୍ତ ନିଷ୍ପତ୍ତି ନେବେ।

Share