ଭିଜିଲାନ୍ସ ଜାଲରେ ସୁପରଭାଇଜର

ସମ୍ବଲପୁର,୨୭ା୧୧(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଆଇସିଡିଏସ୍‌ ସୁପରଭାଇଜର ସୁଲଚନା ଅର୍କ ଶନିବାର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ତାଙ୍କଠାରୁ ରାସାୟନିକ ପ୍ରଲେପ ଦିଆ ୧୩ ହଜାର ୫ଶହ ଟଙ୍କିଆ ନୋଟ ଜବତ ହୋଇଛି। ଏ ନେଇ ଭିଜିଲାନ୍ସ ଏକ ମାମଲା(ନଂ.୪୦/୨୧) ରୁଜୁ କରିଛି। ଏହା ସହ ସୁଲଚନା ରହୁଥିବା ଘରେ ଭିଜିଲାନ୍ସ ଟିମ୍‌ ଚଢାଉ ଜାରି ରହିଛି।

ଜୟନ୍ତପୁର ଅଙ୍ଗନଓ୍ବାଡି କେନ୍ଦ୍ରରେ କିଛିଦିନ ତଳେ ଶୁଖିଲା ଖାଦ୍ୟ ଓ କିଛି ସାମଗ୍ରୀ କିଣାଯାଇଥିଲା। ସୁପରଭାଇଜର ଅର୍କ କେନ୍ଦ୍ର ପରିଦର୍ଶନରେ ଆସିଥିବା ସମୟରେ ଅଙ୍ଗନଓ୍ବାଡି କର୍ମୀ ତାଙ୍କୁ କିଣାଯାଇଥିବା ସାମଗ୍ରୀର ବିଲ୍‌ ଦେଇ ଟଙ୍କା ରିଲିଜ୍‌ କରିଦେବାକୁ ଅନୁରୋଧ କରିଥିଲେ। ହେଲେ ସୁପରଭାଇଜର ବିଲ୍‌ ପାସ ନ କରି ଦିନ ଗଡାଇ ଚାଲିଥିଲେ। ପରେ ସେ ୨୦ ହଜାର ଟଙ୍କା ଦାବି କରିଥିଲେ। ଶେଷରେ ୧୩,୫୦୦ଟଙ୍କାରେ ବୁଝାମଣା ହୋଇଥିଲା। ଏ ନେଇ ଅଙ୍ଗନଓ୍ବାଡି କର୍ମୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଶନିବାର ସେ ଟଙ୍କା ନେବା ସମୟରେ ଯୋଜନା ମୁତାବକ ଉପସ୍ଥିତ ରହିଥିବା ଭିଜିଲାନ୍ସ ଅଧିକାରୀ ତାଙ୍କୁ କାବୁ କରିଥିଲେ।

Share