ଆଇସଲ୍ୟାଣ୍ଡରେ ଆଗ୍ନେୟଗିରି ଉଦ୍‌ଗିରଣ, ଘୋଷଣା ହେଲା ଏମରଜେନ୍ସି

ରିକଜାଭିକ,୧୯।୧୨: ଆଇସଲ୍ୟାଣ୍ଡର ରେକଜାନ୍ସ ଉପଦ୍ୱୀପରେ ଆଗ୍ନେୟଗିରି ବିସ୍ଫୋରଣ ହେତୁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ଦକ୍ଷିଣ ପଶ୍ଚିମ ଆଇସଲ୍ୟାଣ୍ଡର ରେକଜାନ୍ସ ଉପଦ୍ୱୀପରେ ଏକ ଆଗ୍ନେୟଗିରି ବିସ୍ଫୋରଣ ଘଟିଛି ବୋଲି ଜାତୀୟ ପାଣିପାଗ ବିଭାଗ ମଙ୍ଗଳବାର କହିଛି।

ନ୍ୟୁଜ ଏଜେନ୍ସି ସିହ୍ନୁଆ ଆଇସଲ୍ୟାଣ୍ଡର ପାଣିପାଗ ବିଭାଗରୁ ଉଦ୍ଧୃତ କରି କହିଛି ଯେ ଗତ କିଛି ସପ୍ତାହ ଧରି ଆଇସଲ୍ୟାଣ୍ଡରେ ଭୂକମ୍ପ ହୋଇଥିବା ରେକର୍ଡ କରାଯାଇଥିଲା, ଏହା ପରେ ଆଗ୍ନେୟଗିରି ଉଦଗିରଣ ଘଟଣା ଘଟିଥିଲା।
ଗ୍ରିଣ୍ଡଭିକ ଠାରୁ ପ୍ରାୟ ୪ କିଲୋମିଟର ଉତ୍ତର-ପୂର୍ବରେ ଏହି ବିସ୍ଫୋରଣ ଘଟିଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ସୋମବାର ରାତି ପ୍ରାୟ ୯ଟା ସମୟରେ ହୋଇଥିବା ଭୂକମ୍ପ ପରେ ରାତି ପ୍ରାୟ ୧୦ଟା ୧୭ସମୟରେ ଏହି ବିସ୍ଫୋରଣ ଘଟିଛି।
ପାଣିପାଗ ବିଭାଗ କହିଛି ଯେ ଆଗ୍ନେୟଗିରିରେ ଛିଦ୍ରର ଦୈର୍ଘ୍ୟ ପ୍ରାୟ ୩.୫କିଲୋମିଟର, ଯେଉଁଥିରୁ ଲାଭା ସେକେଣ୍ଡରେ ପ୍ରାୟ ୧୦୦ ରୁ ୨୦୦ ଘନ ମିଟର ବେଗରେ ପ୍ରବାହିତ ହେଉଛି। ପାଣିପାଗ ବିଭାଗ କହିଛି ଯେ ରେକଜାନେସ ଉପଦ୍ୱୀପରେ ଆଗ୍ନେୟଗିରି ଉଦଗିରଣ ପୂର୍ବ ବିସ୍ଫୋରଣ ଅପେକ୍ଷା ଅନେକ ଗୁଣ ବଡ ଥିଲା।
ବର୍ତ୍ତମାନ ବିସ୍ଫୋରଣର ସଠିକ ସ୍ଥାନ ଏବଂ ଆକାର ନିଶ୍ଚିତ କରିବାକୁ ଏକ ହେଲିକପ୍ଟର ପଠାଯାଇଛି। ଆଗ୍ନେୟଗିରି ବିସ୍ଫୋରଣ ପରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି ବୋଲି ଆଇସଲ୍ୟାଣ୍ଡର ଜାତୀୟ ପୋଲିସ କମିଶନର କହିଛନ୍ତି। ନାଗରିକମାନଙ୍କୁ ମଧ୍ୟ ଏକ ଚେତାବନୀ ଦିଆଯାଇଛି।

Share