କୋରାପୁଟ,୭ା୫(ସ୍ବ.ପ୍ର.): କୋରାପୁଟ-ବିଶାଖାପାଟଣା ପାସେଞ୍ଜର ଟ୍ରେନ୍ରେ ସଂଯୋଗ ହେବ ଆଇସିଏଫ୍ ଭିଷ୍ଟାଡମ୍(ଶୀତତାପ ନିୟନ୍ତ୍ରିତ)କୋଚ୍। ମେ ୯ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ସ୍ବତନ୍ତ୍ର କୋଚ୍ ସୁବିଧା ସହ ଏହି ଟ୍ରେନ୍ ବିଶାଖାପାଟଣାରୁ କୋରାପୁଟ ଚଳାଚଳ କରିବ। ସେହିପରି ମେ ୧୦ରୁ ଅଗଷ୍ଟ ୯ ପର୍ଯ୍ୟନ୍ତ ଏହା କୋରାପୁଟରୁ ବିଶାଖାପାଟଣା ଚଳାଚଳ କରିବ ବୋଲି ଡିଭିଜନାଲ କମର୍ସିଆଲ ମ୍ୟାନେଜର ଏ. କେ. ତ୍ରିପାଠୀ ସୂଚନା ଦେଇଛନ୍ତି।
ଭିଷ୍ଟାଡମ୍ କୋଚ୍ରେ ସ୍ବତନ୍ତ୍ର କାଚ ଝରକା ଲାଗିଥିବାବେଳେ ଆରାମଦାୟକ ବ୍ୟବସ୍ଥା ରହିଛି। ୨୨ ସିଟ୍ ବିଶିଷ୍ଟ ଏହି କୋଚ୍ ବିଶେଷକରି ପର୍ଯ୍ୟଟକଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ ହୋଇଛି। ଏଥିରେ ପର୍ଯ୍ୟଟକମାନେ ଆରାମରେ ବସି କାଚ ଝରକା ବାଟରୁ କୋରାପୁଟ ଏବଂ ରାୟଗଡ଼ା ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟ ତଥା ପାହାଡ଼, ଝରଣା ଆଦିକୁ ଉପଭୋଗ କରିପାରିବେ। ସ୍ଥାନୀୟ ଲୋକଙ୍କ ପାଇଁ ଏହା ରୋଜଗାର ମଧ୍ୟ ସୃଷ୍ଟି କରିପାରିବ। ସ୍ବତନ୍ତ୍ର କୋଚ୍ ରହିଥିବା ଏହି ଟ୍ରେନ୍ ସୋମବାର, ବୁଧବାର ଓ ଶନିବାର ବିଶାଖାପାଟଣାରୁ କୋରାପୁଟ ଚାଲିବ। ସେହିପରି ମଙ୍ଗଳବାର, ଗୁରୁବାର ଏବଂ ରବିବାର କୋରାପୁଟରୁ ବିଶାଖାପାଟଣା ଚଳାଚଳ କରିବ। ଏହାଦ୍ୱାରା ଦେଶର ବିଭିନ୍ନ ଅଞ୍ଚଳର ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧିପାଇବ ବୋଲି ଆଶା ରହିଛି।