ଡାର୍କ ୱେବରେ ବିକ୍ରି ହୋଇଗଲା ୮୧.୫ କୋଟି ଭାରତୀୟଙ୍କ ବ୍ୟକ୍ତିଗତ ତଥ୍ୟ: ରିପୋର୍ଟ

ନୂଆଦିଲ୍ଲୀ,୩୦/୧୦: ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ(ଆଇସିଏମଆର) ପାଖରେ ଥିବା ୮୧.୫ କୋଟି ଭାରତୀୟଙ୍କର ବ୍ୟକ୍ତିଗତ ତଥ୍ୟ ଡାର୍କ ୱେବରେ ବିକ୍ରି ହୋଇଯାଇଛି। ଏଥିରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଯେପରିକି ଆଧାରକାର୍ଡ଼, ପାସପୋର୍ଟ ତଥ୍ୟ, ଫୋନ୍ ନମ୍ବର ଏବଂ ଠିକଣା ଆଦି ତଥ୍ୟ ବିକ୍ରି ହୋଇଯାଇଥିବା ରିପୋର୍ଟରୁ ଜଣା ପଡିଛି। ଘଟଣାର ଗୁରୁତ୍ୱକୁ ଦେଖି ସିବିଆଇ ଏହି ମାମଲାର ତଦନ୍ତ କରିବ ବୋଲି ଆଶା କରାଯାଉଛି।

ଏହି ତଥ୍ୟ ଚୋରିକୁ ପ୍ରଥମେ ଆମେରିକାର ସାଇବର ସିକ୍ୟୁରିଟି ଏବଂ ଇଣ୍ଟେଲିଜେନ୍ସି ଫାର୍ମ ରିସିକ୍ୟୁରିଟି ନଜରକୁ ଆସିଥିଲା। ଏହାପରେ ଅକ୍ଟୋବର ୯ ତାରିଖରେ ଫାର୍ମ ୮୧.୫ କୋଟି ଭାରତୀୟଙ୍କର ବ୍ୟକ୍ତିଗତ ତଥ୍ୟ ଚୋରି ସମ୍ପର୍କରେ ସୂଚନା ଦେଇଥିଲା।

ତେବେ ଏତେମାତ୍ରାରେ ତଥ୍ୟ ସବୁ କିପରି ଲିକ୍ ହେଲା ସେ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ। ଗତ ମାସରେ ଝାଡ଼ଖଣ୍ଡ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ୱେବସାଇଟ ହ୍ୟାକ ହୋଇଥିଲା। ଯେଉଁଥିରୁ ପ୍ରାୟ ୩.୨ ଲକ୍ଷ ବ୍ୟକ୍ତିଙ୍କ ତଥ୍ୟ ଡାର୍କ ୱେବରେ ବିକ୍ରି ହୋଇଥିବା କୁହାଯାଉଛି।

Share