୫ରେ ଆଇସିଏସ୍‌ ପ୍ରାରମ୍ଭିକ ପରୀକ୍ଷା

କଟକ ଅଫିସ, ୪।୬: କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍‌ସି) ଦ୍ୱାରା ପରିଚାଳିତ ଇଣ୍ଡିଆନ୍‌ ସିଭିଲ ସର୍ଭିସ (ଆଇସିଏସ୍‌) ପ୍ରାରମ୍ଭିକ ପରୀକ୍ଷା-୨୦୨୨ ଆସନ୍ତା ରବିବାର ଅନୁଷ୍ଠିତ ହେବ। ଏହି ପରୀକ୍ଷା ଦୁଇଟି ପର୍ଯ୍ୟାୟରେ କରାଯିବ। ପ୍ରଥମ ପର୍ଯ୍ୟାୟ ପରୀକ୍ଷା ପୂର୍ବାହ୍ନ ୯ଟା ୩୦ ମିନିଟରୁ ୧୧ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଅପରାହ୍ନ ୨ଟା ୩୦ ମିନିଟ୍‌ରୁ ୪ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ହେବ। ଓଡ଼ିଶାର ୧୬,୭୨୪ ଜଣ ପରୀକ୍ଷାର୍ଥୀ ସହରରେ ସ୍ଥିରୀକୃତ ୩୯ଟି କେନ୍ଦ୍ରରେ ପରୀକ୍ଷା ଦେବେ। ସିଡିଏସ୍ଥିତ ସେକ୍ଟର-୬ (ନିଉ ବ୍ଲକ) ଡିଏଭି ପବ୍ଲିକ ସ୍କୁଲରେ କେବଳ ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା ଦେବାର ବ୍ୟବସ୍ଥା କରାଯାଇଛି। ପରୀକ୍ଷା ଦିନ ପ୍ରଥମ ପର୍ଯ୍ୟାୟରେ ପରୀକ୍ଷା କେନ୍ଦ୍ରଗୁଡିକୁ ପ୍ରଶ୍ନପତ୍ର ଏବଂ ଓଏମ୍‌ଆର୍‌ ଶିଟ୍‌ ସକାଳ ୭ଟା ଏବଂ ଦ୍ୱିତୀୟ ପର୍ଯ୍ୟାୟ ନିମନ୍ତେ ମଧ୍ୟାହ୍ନ ୧୨ଟା ମଧ୍ୟରେ ସୁରକ୍ଷାବଳୟ ମଧ୍ୟରେ ଜିଲା କୋଷାଗାରରୁ ପଠାଯିବ। ଏଥିପାଇଁ ଏକ ପ୍ରସ୍ତୁତି ବୈଠକ କଟକ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ଭବାନୀ ଶଙ୍କର ଚୟନୀ ଅଧ୍ୟକ୍ଷତା କରି ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ ପରୀକ୍ଷା କେନ୍ଦ୍ରରେ ପର୍ଯ୍ୟାପ୍ତ ପରିମାଣର ବିଶୁଦ୍ଧ ପାନୀୟଜଳ ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ପରୀକ୍ଷା କେନ୍ଦ୍ରର ଅଧୀକ୍ଷକ, ପରୀକ୍ଷାରେ କାର୍ଯ୍ୟ ନିର୍ବାହ କରିବାକୁ ଯାଉଥିବା ପରିଦର୍ଶକ ଓ ନିରୀକ୍ଷକମାନେ ଯେପରି ୟୁପିଏସ୍‌ସିଙ୍କ ନିର୍ଦ୍ଦେଶକ୍ରମେ ନିଷ୍ଠାପର ଭାବେ ସଫଳତାର ସହ ପରୀକ୍ଷା ପରିଚାଳନା କରିପାରିବେ ସେ ବିଷୟରେ କହିଥିଲେ। ଏହି ବୈଠକରେ ୟୁପିଏସ୍‌ସି ଯୁଗ୍ମ ସଚିବ ରାହୁଲ ସିଂହ, ରାଜ୍ୟ ଖଣି ନିଗମ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ବଳୱନ୍ତ ସିଂହ, ରାଜ୍ୟ ପଞ୍ଚାୟତିରାଜ ବିଭାଗ ନିର୍ଦ୍ଦେଶକ ଜ୍ଞାନ ଦାସ, ୟୁପିଏସ୍‌ସି ଅନୁଶାସନ ସଚିବ ଶୈଳେଶ ଗୌତମ, ଅତିରିକ୍ତ ଜିଲାପାଳ ବିଜୟ କୁମାର ଖଣ୍ଡାୟତରାୟ ଓ ପୂର୍ଣ୍ଣଚନ୍ଦ୍ର ମିଶ୍ର ଯୋଗଦେଇ କଟକ ସଦର ମହକୁମାର ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ବୈଷୟିକ ଶିକ୍ଷାନୁଷ୍ଠାନରେ ହେବାକୁ ଥିବା ପରୀକ୍ଷା ସମ୍ପର୍କରେ ଆଲୋଚନା କରିଥିଲେ। ଡେପୁଟି କଲେକ୍ଟର ପ୍ରସନ୍ନ ସେନାପତି ଓ ପ୍ରିୟଦର୍ଶିନୀ ଜେନା ଯୋଗଦେଇ ପରୀକ୍ଷାରେ ନିଯୁକ୍ତ ପରିଦର୍ଶକ ଓ ନିରୀକ୍ଷକମାନଙ୍କୁ ପରୀକ୍ଷା ପରିଚାଳନା ସମ୍ବନ୍ଧୀୟ ସମସ୍ତ ତଥ୍ୟ ନେଇ ସୂଚନା ପ୍ରଦାନ କରିଥିଲେ। ଜିଲା କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ ରାଜେଶ ସୁବୁଦ୍ଧି ଓ ସୂର୍ଯ୍ୟକାନ୍ତ ପାଣି ବୈଠକ ପରିଚାଳନାରେ ସହଯୋଗ କରିଥିଲେ।