ଅଫ୍‌ଲାଇନରେ ହେବ ଆଇସିଏସ୍‌ଇ ଦଶମ, ଆଇଏସ୍‌ସି ଦ୍ୱାଦଶ ଟର୍ମ-୧

ଭୁବନେଶ୍ୱର, ୨୪।୧୦(ବ୍ୟୁରୋ): କାଉନ୍‌ସିଲ୍‌ ଫର୍‌ ଦି ଇଣ୍ଡିଆନ୍‌ ସ୍କୁଲ ସାର୍ଟିଫିକେଟ୍‌ ଏକ୍‌ଜାମିନେଶନ୍ସ(ସିଆଇଏସ୍‌ସିଇ) ଦ୍ୱାରା ପରିଚାଳିତ ଆଇସିଏସ୍‌ଇ ଦଶମ ଓ ଆଇଏସ୍‌ସି ଦ୍ୱାଦଶ ଟର୍ମ-୧ ପରୀକ୍ଷା ଅଫ୍‌ଲାଇନ୍‌ରେ ହେବ। ଏ ନେଇ ଶନିବାର ସିଆଇଏସ୍‌ସିଇ ପକ୍ଷରୁ ଘୋଷଣା କରାଯାଇଛି। ଏଥିସହିତ ପରୀକ୍ଷା ତାରିଖ ମଧ୍ୟ ଘୋଷଣା କରିଛି। ଆଇସିଏସ୍‌ଇ ଦଶମ ନଭେମ୍ବର ୨୯ରୁ ଆରମ୍ଭ ହୋଇ ଡିସେମ୍ବର ୧୬ରେ ସରିବ। ସେହିପରି ଆଇଏସ୍‌ସି ଦ୍ୱାଦଶ ଟର୍ମ-୧ ନଭେମ୍ବର ୧୨ରୁ ଆରମ୍ଭ ହୋଇ ଡିସେମ୍ବର ୨୦ ପର୍ଯ୍ୟନ୍ତ ଚାଲିବ।

ପୂର୍ବରୁ ଦଶମ ପରୀକ୍ଷା ନଭେମ୍ବର ୧୫ରୁ, ଦ୍ୱାଦଶ ନଭେମ୍ବର ୧୬ରୁ ଆରମ୍ଭ ହେବ ବୋଲି ଘୋଷଣା କରାଯାଇଥିଲା। କିନ୍ତୁ ଗତ କିଛିଦିନ ତଳେ କାଉନ୍‌ସିଲ ଏହି ପରୀକ୍ଷାକୁ ସ୍ଥଗିତ ରଖିଥିଲା। ଏବେ ନୂଆ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ସିଆଇଏସ୍‌ସିଇ ମୁଖ୍ୟ କାର୍ଯ୍ୟନିର୍ବାହୀ ଗେରୀ ଆରାଥନ୍‌ କହିଛନ୍ତି, ଟର୍ମ-୧ ପରୀକ୍ଷାକୁ ଅଫ୍‌ଲାଇନ୍‌ରେ କରିବା ପାଇଁ ଛାତ୍ରୀଛାତ୍ରଙ୍କଠାରୁ ଆରମ୍ଭ କରି ବିଭିନ୍ନ ଆଡ଼ୁ ଅନୁରୋଧ କରାଯାଇଥିଲା। ପ୍ରଥମ ସେମିଷ୍ଟର ଅନ୍‌ଲାଇନ୍‌ରେ ହୋଇଥିଲା। ଯେଉଁଥିରେ ପିଲାମାନେ ନେଟ୍‌ଓ୍ବର୍କ ସହ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଏେନେଇ ପିଲା, ଅଭିଭାବକ, ସ୍କୁଲ କର୍ତ୍ତୃପକ୍ଷ ଆମକୁ ଜଣାଇବା ସହ ଟର୍ମ-୧ ପରୀକ୍ଷାକୁ ଅଫ୍‌ଲାଇନ୍‌ରେ କରିବା ପାଇଁ ଅନୁରୋଧ କରିଥିଲେ। ତେଣୁ ଏହା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ପରେ ଏହି ପରୀକ୍ଷାକୁ ନିଜ ସ୍କୁଲ୍‌ରେ ଅଫ୍‌ଲାଇନ୍‌ରେ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ତେବେ ପରୀକ୍ଷା କିପରି ହେବ ସେନେଇ ଏକ ଗାଇଡ୍‌ଲାଇନ୍‌ ଖୁବ୍‌ଶୀଘ୍ର ଜାରି କରାଯିବ ବୋଲି ଗେରୀ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ସିଆଇଏସ୍‌ସିଇ ୨୦୨୧-୨୨ ବୋର୍ଡ ପରୀକ୍ଷାକୁ ଦୁଇଟି ଟର୍ମରେ ବିଭକ୍ତ କରିଛନ୍ତି। ପ୍ରଥମ ଟର୍ମ ଅନ୍‌ଲାଇନ୍‌ରେ ହେବ ଏବଂ ଦ୍ୱିତୀୟ ଟର୍ମ ଅନ୍‌ଲାଇନ୍‌ ନା ଅଫ୍‌ଲାଇନ୍‌ରେ ହେବ ତାହା ସେତେବେଳର କରୋନା ସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ ବୋଲି ସିଆଇଏସ୍‌ସିଇ ପକ୍ଷରୁ ପୂର୍ବରୁ କୁହାଯାଇଥିଲା।