୩.୭୦ କୋଟି ମୁଦ୍ରାଋଣ ଠକେଇ ମାମଲା: ଆଇଡିବିଆଇ ବ୍ୟାଙ୍କ ଆସିଷ୍ଟାଣ୍ଟ୍‌ ମ୍ୟାନେଜର ଗିରଫ

ଭୁବନେଶ୍ୱର,୮।୩(ସତ୍ୟଜିତ୍‌ ରାଉତ): ୩କୋଟି ୭୦ଲକ୍ଷ ଟଙ୍କାର ମୁଦ୍ରାଋଣ ଠକେଇ ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ପୁରୀ ଜିଲା ପିପିଲି ଦାଣ୍ଡମୁକୁନ୍ଦପୁରସ୍ଥିତ ଆଇଡିବିଆଇ ବ୍ୟାଙ୍କ ଶାଖାର ଆସିଷ୍ଟାଣ୍ଟ୍‌ ମ୍ୟାନେଜର ତନ୍ମୟ କୁମାର ମହାରଣାଙ୍କୁ ବୁଧବାର ଛତିଶଗଡ଼ ରାୟପୁରରୁ ଗିରଫ କରିଛି। ପରେ ତାଙ୍କୁ ରାୟପୁର ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଯାଇଥିଲା। ସେଠାରୁ ତାଙ୍କୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଓଡ଼ିଶା ଅଣାଯାଇ ଗୁରୁବାର କଟକ ଓପିଆଇଡି କୋର୍ଟକୁ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତନ୍ମୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ଥିବା ପୂର୍ବତନ ବ୍ରାଞ୍ଚ ମ୍ୟାନେଜର ସରୋଜକାନ୍ତ ମହାପାତ୍ରଙ୍କୁ ଧରିବାକୁ ଇଓଡବ୍ଲ୍ୟୁ ପ୍ରୟାସ ଜାରି ରଖିଛି।
ଆଇଡିବିଆଇ ବ୍ୟାଙ୍କ ଭୁବନେଶ୍ୱରର ଜେନେରାଲ ମ୍ୟାନେଜର ସନ୍ଦୀପ ପଟ୍ଟନାୟକଙ୍କ ଏତଲାକୁ ଆଧାରକରି ଫେବୃଆରୀ ୨୯ରେ ଇଓଡବ୍ଲ୍ୟୁ ମାମଲା (ନଂ.୩/ ୨୦୨୪) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ୨୦୧୮ରେ ଆସେଟ୍‌ ଅଫିସର ଥିବା ତନ୍ମୟ କୁମାର ମହାରଣା ଓ ସରୋଜକାନ୍ତ ମହାପାତ୍ର ଆପରାଧିକ ଷଡ଼ଯନ୍ତ୍ର କରି ଉକ୍ତ ଶାଖାରେ ଥିବା ପିପିଲି ବିଡିଓଙ୍କ ସରକାରୀ ଆକାଉଣ୍ଟରୁ ୩.୭୦ କୋଟି ଟଙ୍କାର ୩୫ଟି ମୁଦ୍ରା ଲୋନ୍‌ କରି ହଡ଼ପ କରିଥିଲେ ବୋଲି ଅଭିଯୋଗ ହୋଇଛି। ଇଓଡବ୍ଲ୍ୟୁ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଉକ୍ତ ଶାଖାରେ ଥିବା ପିପିଲି ବିଡିଓଙ୍କ ଦୁଇ ବ୍ୟାଙ୍କ ଆକାଉଣ୍ଟରେ ୨୦୧୮ରେ ସରକାରଙ୍କ ପକ୍ଷରୁ ୩.୭୦ କୋଟି ଟଙ୍କା ଜମା କରାଯାଇଥିଲା। ବିଡିଓ ଏହି ଟଙ୍କାକୁ ଫେକ୍ସି ଫିକ୍ସଡ୍‌ ଡିପୋଜିଟ୍‌ (ଏଫ୍‌ଏଫ୍‌ଡି) କରିଦେବାକୁ କହିଥିଲେ। ହେଲେ ଅଧିକାରୀ ଦ୍ୱୟ ଉକ୍ତ ଟଙ୍କାକୁ ତାଙ୍କ ସମ୍ପର୍କୀୟଙ୍କ ନାଁରେ ୧୦ ଲକ୍ଷ ଟଙ୍କା ଲେଖାଏ ୩୫ଟି ମୁଦ୍ରା ଲୋନ୍‌ କରି ନେଇଯାଇଯାଇଥିଲେ। ୨୦୨୨ରେ ବିଡିଓ ଏହି ଏଫ୍‌ଏଫ୍‌ଡିର ତଥ୍ୟ ମାଗିଥିଲେ ବି ତାଙ୍କୁ ଦିଆଯାଇ ନ ଥିଲା। ପରେ ବ୍ୟାଙ୍କ ପକ୍ଷରୁ ତଦନ୍ତ କରାଯିବାରୁ ଦୁଇ ଅଧିକାରୀଙ୍କ ଠକେଇ ଷଡ଼ଯନ୍ତ୍ର ଜଣାପଡ଼ିଥିଲା। ପରେ ସରୋଜ ଓ ତନ୍ମୟଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି।

Share