ଟାଟାଠାରୁ ଜମି ଫେରାଇ ଆଣିବ ଇଡ୍‌କୋ

ଭୁବନେଶ୍ୱର,୧୯ା୫(ବ୍ୟୁରୋ): ଟାଟା ପାଓ୍ବାର କମ୍ପାନୀ କଟକ ଜିଲାର ବାରଙ୍ଗ ତହସିଲ ଅନ୍ତର୍ଗତ କୋଇଲାଭିତ୍ତିକ ଥର୍ମାଲ ପାଓ୍ବାର ପ୍ଲାଣ୍ଟରୁ ଓହରିଯାଇଛି। କମ୍ପାନୀକୁ ଲିଜ୍‌ରେ ଦିଆଯାଇଥିବା ୮୭୧.୪୨୭ ଏକର ଜମିକୁ ଇଡ୍‌କୋ ଲ୍ୟାଣ୍ଡ ବ୍ୟାଙ୍କ ଅଧୀନକୁ ଆଣିବ। ଏହି ପ୍ରସ୍ତାବକୁ ବୁଧବାର ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି। ଏଠାରେ ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ଟାଟା କମ୍ପାନୀକୁ ଥର୍ମାଲ ପାଓ୍ବାର ପ୍ଲାଣ୍ଟ କରିବା ପାଇଁ ଉକ୍ତ ଜମି ଯୋଗାଇ ଦେଇଥିଲେ। ଏହି ଜମି ନୂତନ ଶିଳ୍ପ ଓ ଭିତ୍ତିଭୂମି ପ୍ରକଳ୍ପଗୁଡିକୁ ଆକର୍ଷିତ କରିବା ପାଇଁ ବ୍ୟବହାର କରାଯିବ। ଏଥିପାଇଁ ରାଜ୍ୟ ସରକାର ଇଡ୍‌କୋକୁ ୬୨,୮୩, ୪୮, ୫୧୭ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେବେ।

ସିଭି ରମଣ ଗ୍ଲୋବାଲ ବିଶ୍ୱବିଦ୍ୟାଳୟ ଓଡ଼ିଶା ଆଇନ ୨୦୧୯ର ସଂଶୋଧନ ହେବ। ଏହି ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି। ସୁନ୍ଦରଗଡ଼ ଜିଲାର କୋପସିଙ୍ଗା ଗ୍ରାମ ନିକଟରେ ନଦୀଗର୍ଭ ସୀମିତ ଜଳ ସଂରକ୍ଷଣ ଆନିକଟ ନିର୍ମାଣ ଯୋଜନାରେ ଏକ ସେତୁ ନିର୍ମାଣ ହେବ। ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି। ୩୦ ମାସ ମଧ୍ୟରେ ଏହି ପ୍ରକଳ୍ପ ନିର୍ମାଣ ଶେଷ ହେବ। ଏଥିଯୋଗୁ ଜିଲାର ଟାଙ୍ଗରାପଲ୍ଲୀ ଓ ସଦର ବ୍ଲକର ୧୪ ଗ୍ରାମର ଲୋକମାନଙ୍କ ପାନୀୟ ଜଳ ଓ ଘରୋଇ ବ୍ୟବହାର ନିମନ୍ତେ ପର୍ଯ୍ୟାପ୍ତ ଜଳ ଉପଲବ୍ଧ ହେବ।

Share