Categories: ଜାତୀୟ

ହେଲିକପ୍ଟର ଦୁର୍ଘଟଣା: ଚିହ୍ନଟ ହେଲେ ଅନ୍ୟ ୪ ମୃତ ଯବାନ, ଦିଆଯିବ ଶେଷ ବିଦାୟ

ନୂଆଦିଲ୍ଲୀ,୧୧ ।୧୨: ଡିସେମ୍ବର ୮ରେ ତାମିଲନାଡୁର କୁନ୍ନୁରରେ ହୋଇଥିବା ସେନା ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଅନ୍ୟ ୪ ଯବାନଙ୍କ ମୃତଦେହ ଚିହ୍ନଟ କରାଯାଇଛି । ଭାରତୀୟ ବାୟୁସେନାର ସୂଚନା ଅନୁଯାୟୀ, ୱିଙ୍ଗ କମାଣ୍ଡର ପିଏସ୍ ଚୌହାନ, ହାବିଲଦାର ପ୍ରଦୀପ ଏ, ଲାଂସ ନାୟକ ବି ସାଇ ତେଜା ଓ ଲାଂସ ନାୟକ ବିବେକ କୁମାରଙ୍କ ମୃତଦେହକୁ ଚିହ୍ନଟ କରାଯାଇଛି । ଶନିବାର ଏମାନଙ୍କ ପାର୍ଥିବ ଶରୀରକୁ ପରିବାରବର୍ଗଙ୍କୁ ଦିଆଯିବ ବୋଲି ସୂଚନା ମିଳିଛି । ବାୟୁସେନାର ସୂଚନା ଅନୁଯାୟୀ, ଚିହ୍ନଟ ହୋଇଥିବା ଯବାନଙ୍କ ମୃତ ଶରୀରକୁ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସଂସ୍କାର କରାଯିବ । ଏହା ପୂର୍ବରୁ ଦିଲ୍ଲୀ କ୍ୟାଂଟର ବେସ ହସ୍ପିଟାଲରେ ପାର୍ଥିବ ଶରୀରକୁ ଶ୍ରଦ୍ଧାଞ୍ଜଳୀ ଦିଆଯିବ । ଏହାପରେ ମୃତ ଶରୀରକୁ ପରିବାର ଲୋକଙ୍କୁ ଦିଆଯିବ । ସେନା ପକ୍ଷରୁ କୁହାଯାଇଛି କି ବାକି ରହିଥିବା ମୃତ ଶରୀର ଗୁଡିକୁ ଚିହ୍ନଟ କରାଯିବା ପ୍ରକ୍ରିୟା ଜାରି ରହିଛି । ସୂଚନାଯୋଗ୍ୟ, ଏହି ହେଲିକପ୍ଟର ଦୁର୍ଘଟଣାରେ ଦେଶର ପ୍ରଥମ ସିଡିଏସ୍ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ଅନ୍ତିମ ସଂସ୍କର ଶୁକ୍ରବାର କରାଯାଇଛି । ଏହାସହ ବ୍ରିଗେଡିୟର ଲିଡ୍ଡରଙ୍କର ମଧ୍ୟ ଶେଷକୃତ୍ୟ ସମ୍ପନ୍ନ କରାଯାଇ ସାରିଛି ।

Share