ମୂଷାଠାରେ ଓମିକ୍ରମ ସବ ଭାରିଆଣ୍ଟ ବିଏ.୫ ଚିହ୍ନଟ…

ଓ୍ବାଶିଂଟନ,୨୭।୯ : କରୋନାର ଓମିକ୍ରନ ଭାରିଆଣ୍ଟରୁ ଉତ୍ପନ୍ନ ଏକ ସବ-ଭାରିଆଣ୍ଟ ବିଏ.୫ ମୂଷାମାନଙ୍କଠାରେ ମିଳିଛି। ଯାହା ଅଧିକ ବିପଜ୍ଜନକ ଏବଂ ଶକ୍ତିଶାଳୀ । ଏହାର ରୋଗୀଙ୍କର ଶରୀରରେ ଶୀଘ୍ର ବିସ୍ତାର କରିବା କ୍ଷମତା ସହିତ ସ୍ଥିତିକୁ ସଙ୍କଟ ଜନକ କରିଥାଏ। ସାଇନ୍ସ ଆଡଭାନ୍ସ ପତ୍ରିକାରେ ପ୍ରକାଶିତ ଅଧ୍ୟୟନରେ କୁହାଯାଇଛି ଏହି ଷ୍ଟ୍ରେନ ରୋଗୀ ଠାରେ ସଂକ୍ରମଣ ଦେବାକୁ ଅଧିକ ସମୟ ନେଇ ନ ଥାଏ।

ଆମେରିକାର କୋର୍ନିଲ ବିଶ୍ୱବିଦ୍ୟାଳୟର ପ୍ରାଣୀ ଚିକିତ୍ସା ମହାବିଦ୍ୟାଳୟର ପ୍ରଫେସର ଆଭେରୀ ଅଗଷ୍ଟ କହିଛନ୍ତି ଏହି ସବ-ଭାରିଆଣ୍ଟ ଏକ ଶକ୍ତିଶାଳୀ ପ୍ରତିରକ୍ଷା ପ୍ରତିକ୍ରିୟା ସୃଷ୍ଟି କରିଥାଏ, ଯାହା ଏହାକୁ ଅଧିକ ଶକ୍ତିଶାଳୀ କରିଥାଏ।

ଓମିକ୍ରନ ର ସବ-ଭାରିଆଣ୍ଟଗୁଡିକ ସମଗ୍ର ବିଶ୍ୱ ପାଇଁ ଚିନ୍ତାର ବିଷୟ ପାଲଟିଛି। ଗବେଷକମାନେ କହିଛନ୍ତି ଯେତେବେଳେ ମୂଷାମାନେ ବିଏ.୧ ଏବଂ ବିିଏ.୨ ସବ-ଭାରିଆଣ୍ଟରେ ସଂକ୍ରମିତ ହୋଇଥିଲେ, ସେମାନେ କମ ଅସୁସ୍ଥ ହୋଇପଡିଥିଲେ, କିନ୍ତୁ ଯେତେବେଳେ ପରବର୍ତ୍ତୀ ଗୋଷ୍ଠୀ ବିଏ.୫ ଦ୍ୱାରା ସଂକ୍ରମିତ ହୋଇଥିଲେ, କିଛି ସମୟ ପରେ ସେମାନଙ୍କର ଓଜନ ହ୍ରାସ ପାଇବାରେ ଲାଗିଲା ଏବଂ ଫୁସଫୁସରେ ଭୁତାଣୁ ସଂକ୍ରମିତ ହୋଇଥିଲା।

ଏହି ଅଧ୍ୟୟନ ମାଧ୍ୟମରେ, ଅନୁସନ୍ଧାନକାରୀମାନେ ସମସ୍ତ ଦେଶକୁ ନିବେଦନ କରିଛନ୍ତି କରୋନା ଭୁତାଣୁ ଏକ ଗୁରୁତର ସଙ୍କଟ ହୋଇ ରହିଛି। ସମସ୍ତେ ଏହାର ତଦାରଖ କରିବା ଏବଂ ଏହାର ସବ-ଭାରିଆଣ୍ଟ ଗୁଡିକ ବୁଝିବା ପାଇଁ ଜେନୋମିକ ନୀରିକ୍ଷଣ ଉପରେ ଧ୍ୟାନ ଦେବା ଆବଶ୍ୟକ ।

କରୋନା ଚିକିତ୍ସାରେ ବ୍ୟବହୃତ ଏକ ଆଣ୍ଟିଭାଇରାଲ ଔଷଧ ମଲନପୁପିର, ସ୍ବୟଂଚାଳିତ ଭାବେ କରୋନା ଭୁତାଣୁର ମ୍ୟୁଟାଣ୍ଟ ସୃଷ୍ଟି କରିପାରିବ। ନେଚର ମେଡିକାଲ ଜର୍ନାଲରେ ପ୍ରକାଶିତ ଏକ ଅଧ୍ୟୟନରେ କୁହାଯାଇଛି ଆଣ୍ଟିଭାଇରାଲ ଔଷଧଗୁଡିକ କରୋନା ଭୁତାଣୁରେ ପରିବର୍ତ୍ତନ ହେବାର ଢାଞ୍ଚା ସହିତ ସଂଯୁକ୍ତ।

ଫ୍ରାନ୍ସିସ କ୍ରିକ ଇନଷ୍ଟିଚ୍ୟୁଟ ଏବଂ ବ୍ରିଟେନର କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀମାନେ କହିଛନ୍ତି ମଲନପୁରଭାଇର ଔଷଧ ପ୍ରତିକୃତି ସମୟରେ ଭୁତାଣୁର ଜେନେଟିକ ସୂଚନା କିମ୍ବା ଜିନୋମକୁ ପରିବର୍ତ୍ତନ କରି କାର୍ଯ୍ୟ କରିଥାଏ। ଏହି ପରିବର୍ତ୍ତନଗୁଡ଼ିକ ମଧ୍ୟରୁ ଅନେକ ଶରୀରରେ ଭୁତାଣୁ ସଂଖ୍ୟାକୁ ହ୍ରାସ କରି ଏହାକୁ ନଷ୍ଟ କରିଦେଇଥାଏ।

ମହାମାରୀ ସମୟରେ ଏହା ପ୍ରଥମ ଆଣ୍ଟିଭାଇରାଲ ଔଷଧ, ଯାହା ଅନେକ ଦେଶ ଦ୍ୱାରା ବ୍ୟାପକ ଭାବେ ଗ୍ରହଣ କରାଯାଇଛି। ଅନୁସନ୍ଧାନକାରୀମାନେ ପ୍ରାୟ ୧.୫୦ କୋଟି ଜିନୋମ କ୍ରମକୁ ବିଶ୍ଳେଷଣ କରିବା ପରେ ଏହି ସିଦ୍ଧାନ୍ତରେ ପହଞ୍ଚିଛନ୍ତି। ଏହାପୂର୍ବରୁ ହାର୍ଭାର୍ଡ ପ୍ରଫେସର ମାର୍ଟିନ ନୋଭାକ ମଧ୍ୟ ଏହି ଔଷଧର ବ୍ୟବହାରକୁ ନେଇ ଉଦବେଗ ପ୍ରକାଶ କରିଥିଲେ ଯାହା ମେଡିକାଲ ଜର୍ନାଲ ପିଏଲଓଏସ ବାୟୋଲୋଜିରେ ପ୍ରକାଶିତ ହୋଇଥିଲା।

ଏହି ଅଧ୍ୟୟନରୁ ଜଣାପଡିଛି ମନ୍ଥର ଏବଂ ସ୍ଥିର ଅଭିବୃଦ୍ଧି ଦୃଷ୍ଟିରୁ ମଲନପୁପିର ଔଷଧ ମଧ୍ୟମ ନିରାପଦ ଅଟେ, କିନ୍ତୁ ଯଦି ଏହା ସଠିକ ଭାବରେ ବ୍ୟବହୃତ ନ ହୁଏ ତେବେ ଏହି ଔଷଧ ଭୁତାଣୁ କ୍ଷେତ୍ରରେ ପରିବର୍ତ୍ତନ ଆଣିପାରେ।

ଫ୍ରାନ୍ସିସ କ୍ରିକ ପ୍ରତିଷ୍ଠାନର ପ୍ରଫେସର ଡ. ଥିଓ ସାଣ୍ଡରସନ କହିଛନ୍ତି, ଆମର ପ୍ରମାଣ ଦର୍ଶାଏ କରୋନା ଭୁତାଣୁରେ ଘଟୁଥିବା କ୍ରମାଗତ ପରିବର୍ତ୍ତନ ପାଇଁ ଏହି ଔଷଧ ମଧ୍ୟ ଦାୟୀ, ଯାହା ବଞ୍ଚିଥିବା ଭାଇରାଲ ଜନସଂଖ୍ୟାରେ ଜେନେଟିକ ବିବିଧତା ବଢ଼ାଉଛି। ତେଣୁ, ଆମକୁ ଔଷଧ ଖୋଜିବାକୁ ପଡିବ ଯାହା ସଂକ୍ରମଣର ଅବଧି ହ୍ରାସ କରି ପାରିବ।

Share