ବାୟୋମାଇନିଂ ମେଶିନ ସ୍ଥାପନ ପାଇଁ ସ୍ଥାନ ଚିହ୍ନଟ

ଭୁବନେଶ୍ୱର, ୧୬।୯ (ବ୍ୟୁରୋ): ବହୁ ବୁଝାଶୁଝା ଓ ସରକାରଙ୍କ ହସ୍ତକ୍ଷେପ ପରେ ଦାରୁଠେଙ୍ଗବାସୀ ଭୁଆସୁଣୀରେ ଅଳିଆ ପକାଇବାକୁ ସୁଯୋଗ ଦେଇଥିବାରୁ ଏବେ କୌଣସି ଭୁଲ୍‌ କରିବାକୁ ଚାହୁଁନି ବିଏମ୍‌ସି। ତେଣୁ ଦାରୁଠେଙ୍ଗବାସୀଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ରକ୍ଷା ପାଇଁ ପଦକ୍ଷେପକୁ ଗୁରୁତ୍ୱ ଦେଉଛି। ଗୁରୁବାର ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ, ସଫେଇ ସଂସ୍ଥା ଜାଗୃତିର ଅଧିକାରୀଙ୍କ ସହ ଦାରୁଠେଙ୍ଗ ଗ୍ରାମକୁ ଯାଇଥିଲେ। ସେଠାରେ ସରପଞ୍ଚ ତପନ କୁମାର ଚକ୍ରବର୍ତ୍ତୀଙ୍କ ସହ ଭେଟି ବାୟୋ ମାଇନିଂ ପ୍ରକଳ୍ପର ଆରମ୍ଭ ଉପରେ ଆଲୋଚନା କରିଥିଲେ। ଏଥିସହ ବାୟୋମାଇନିଂ ପାଇଁ କେଉଁ ସ୍ଥାନରେ ମେସିନ ପକାଯିବ ସେ ନେଇ ସ୍ଥାନ ଚିହ୍ନଟ କରାଯାଇଥିଲା। ତେବେ ମେସିନାରୀ ସେଟ୍‌ଅପ୍‌ ପାଇଁ ୨ ମାସ ସମୟ ଲାଗିବ ବୋଲି କମିଶନର କହିଛନ୍ତି। ଏହି ଗସ୍ତ ସମୟରେ ଅତିରିକ୍ତ କମିଶନର ସୂର୍ଯ୍ୟବଂଶୀ ମୟୁର ବିକାଶ, ଡେପୁଟି କମିଶନର (ପରିମଳ) ଶୁଭେନ୍ଦୁ ସାହୁ, ସିଟି ଇଞ୍ଜିନିୟର ଅରୁଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Share