ଚିହ୍ନଟକାରୀଙ୍କୁ ମିଳିବ ଆର୍ଥିକ ପୁରସ୍କାର

ଭୁବନେଶ୍ୱର,୭।୪(ବ୍ୟୁରୋ): ଯାଁଳା ଫାଣ୍ଡିରେ ଥିବା ଏକ ଗାଡ଼ିରୁ ମହିଳାଙ୍କ ନରକଙ୍କାଳ ଜବତ ଘଟଣାକୁ ଦେଢ଼ ମାସ ବିତିବାକୁ ବସିଥିଲେ ମଧ୍ୟ କମିଶନରେଟ ପୋଲିସ ମୃତାଙ୍କ ପରିଚୟ ପାଇବାରେ ବିଫଳ ହୋଇଛି। ସମସ୍ତ ଦିଗରୁ ବିଫଳ ହେବାପରେ ଏବେ କମିଶନରେଟ ପୋଲିସ ମୃତ ମହିଳାଙ୍କ ସମ୍ପର୍କରେ ଯେଉଁ ବ୍ୟକ୍ତି ସୂଚନା ଦେବ ତାଙ୍କୁ ଅର୍ଥ ପୁରସ୍କାର ଦେବାକୁ ଚିନ୍ତା କରିଛି। ଏନେଇ ପୋଲିସ କମିଶନରଙ୍କୁ ଏକ ଚିଠି ମଧ୍ୟ ଲେଖାଯାଇଛି। ପୁରସ୍କାର ରାଶି କେତେ ଟଙ୍କା ଦିଆଯିବ ସେ ନେଇ ପୋଲିସ କମିଶନର ଖୁବ୍‌ଶୀଘ୍ର ଘୋଷଣା କରିବେ ବୋଲି ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି। ଅନ୍ୟପଟେ ଗତ ୨ଦିନ ତଳେ ମୃତ କଙ୍କାଳର ପରିଚୟ ମିଳିଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଏପରି କି ମହିଳା ଥାନା ପୋଲିସ ଓ ଜଟଣୀ ଥାନା ଅଧିକାରୀ ସୋମବାର ଗୀତା ବାୟାଣୀଙ୍କ ଘରକୁ ଯାଇ ବୁଝାଶୁଝା କରିବା ସହ ପରିବାର ଲୋକଙ୍କୁ ଡିଏନ୍‌ଏ ପରୀକ୍ଷା ପାଇଁ କହିଥିଲେ। ହେଲେ ପରିବାର ଲୋକେ ଡିଏନ୍‌ଏ ପରୀକ୍ଷା ପାଇଁ ରାଜି ହୋଇ ନ ଥିଲେ। ଗୀତା ବାୟାଣୀ ଟ୍ରେନ୍‌ ଲାଇନରେ କଟି ମରିଯାଇଛି ବୋଲି କହିଥିଲେ। ଏହାପରେ ପୋଲିସ ୪ ପଡ଼ୋଶୀ ରାଜ୍ୟ ବିହାର, ପଶ୍ଚିମବଙ୍ଗ, ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶକୁ ମୃତ ମହିଳାଙ୍କ ସମ୍ଭାବ୍ୟ ସ୍କେଚ୍‌କୁ ପଠାଇଛି। ଏହା ଛଡ଼ା ଏସ୍‌ସିଆରବି ୱେବ୍‌ସାଇଟରେ ମଧ୍ୟ ଏହି ଫଟୋ ଚିତ୍ର ଉପଲବ୍ଧ ହେଉଛି। ତଦନ୍ତକାରୀ ଟିମ୍‌ ନିକଟକୁ ପ୍ରାୟ ୫ଶହରୁ ଉର୍ଦ୍ଧ୍ୱ ଫୋନ୍‌ କଲ୍‌ ଆସିଥିବା ଜଣାପଡ଼ିଛି।

Share