Advertisement

ଭିନ୍ନ ପ୍ରଜାତିର ଉଡ଼ନ୍ତା ମାଛ ଚିହ୍ନଟ

ବ୍ରହ୍ମପୁର,୬ା୨(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋପାଳପୁରସ୍ଥିତ ଭାରତୀୟ ପ୍ରାଣୀ ସର୍ବେକ୍ଷଣ କେନ୍ଦ୍ର ଦ୍ୱାରା ଭାରତ ମହାସାଗରରୁ ପ୍ରଥମ ଥର ପାଇଁ ଏକ ଭିନ୍ନ ପ୍ରଜାତିର ଉଡ଼ନ୍ତା ମାଛ ‘ଚେଲିଓପୋଗୋନ୍‌ ଆକ୍ଟିସେପ୍ସ’ ଚିହ୍ନଟ କରାଯାଇଛି। ବୈଜ୍ଞାନିକ ଡ. ଅନିଲ ମହାପାତ୍ରଙ୍କ ମତରେ ଏହି ମାଛ ପଶ୍ଚିମବଙ୍ଗର ପେଟୁଆଘାଟ ମାଛ ଅବତରଣ କେନ୍ଦ୍ରରୁ ଚିହ୍ନଟ ହୋଇଥିଲା। ଏହି ମାଛର ଚଳାଚଳ ପରିସର ପଶ୍ଚିମ ପ୍ରଶାନ୍ତ ମହାସାଗରରୁ ବଙ୍ଗୋପସାଗର ପର୍ଯ୍ୟନ୍ତ ବୋଲି ଜଣାପଡିଛି। ଏହି ମାଛର ପକ୍ଷ ବହୁତ ଲମ୍ବା ଏବଂ ପ୍ରଶସ୍ତ। ହେଲେ ଏଥିରେ ଅନ୍ୟ ସମପ୍ରଜାତି ଭଳି କୌଣସି କଳାଦାଗ ନାହିଁ। ପୂର୍ବରୁ ଏହା ଚାଇନା, ଫିଲିପାଇନ୍ସ, ଇଣ୍ଡୋନେସିଆ, ଭିଏଟନାମ୍‌, ଜାପାନ, ଥାଇଲାଣ୍ଡରୁ ଚିହ୍ନଟ କରାଯାଇଛି। ଏହି ପ୍ରଜାତିଗୁଡିକ ନିକଟ ଉପକୂଳ ଭୂପୃଷ୍ଠ ଜଳରେ ମିଳିଥାଏ ଏବଂ କେବେ ଖୋଲା ସମୁଦ୍ରରେ ବିସ୍ତାର ହୋଇ ନ ଥାଏ। ଏହି ମାଛ ଉପରେ ବୈଜ୍ଞାନିକ ଡ. ଅନିଲ ମହାପାତ୍ର, ବୈଜ୍ଞାନିକ ଶୁଭ୍ରେନ୍ଦୁ ଶେଖର ମିଶ୍ର, ବାଜକୁଳ ମିଲନି ମହାବିଦ୍ୟାଳୟର ସହକାରୀ ପ୍ରଫେସର ଡ. ଦୀପାନ ରାୟ, ଗବେଷକ ସାନମିତ୍ର ରାୟ ଏବଂ ତପନ ଖଟୁଆଙ୍କ ଦ୍ୱାରା ଗବେଷଣା ହୋଇଥିଲା। ଚେଲିଓପୋଗୋନ୍‌ ଆକ୍ଟିସେପ୍ସ ମାଛ ମାନବଜଗତ ପାଇଁ ମାରାତ୍ମକ ନୁହେଁ। ଏହାର ସବିଶେଷ ବିବରଣୀ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ପତ୍ରିକା ‘ଜନର୍ର୍ାଲ ଅଫ ମେରାଇନ ବାୟୋଲୋଜିକାଲ ଆସୋସିଏଶନ’ରେ ପ୍ରକାଶ ପାଇଛି। ଏ ପର୍ଯ୍ୟନ୍ତ ପୃଥିବୀରେ ମୋଟ ୮୦ ପ୍ରକାରର ଉଡ଼ନ୍ତା ପ୍ରଜାତିର ମାଛ ଚିିହ୍ନଟ କରାଯାଇଛି। ସେଥିରୁ ୨୪ଟି ପ୍ରଜାତି ଭାରତ ଉପକୂଳରେ ଦେଖାଯାଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share