Categories: ଜାତୀୟ

ବଡ଼ ଦୁର୍ଘଟଣା: ଇଦ୍‌ଗାହ କାନ୍ଥ ଭୁଶୁଡ଼ି ପୋତି ହୋଇଗଲେ ୨୧ ମହିଳା-ଶିଶୁ; ୪ ମୃତ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୮।୧୨: ଉତ୍ତରପ୍ରଦେଶର ମାଉ ଜିଲାରେ ଶୁକ୍ରବାର ସନ୍ଧ୍ୟାରେ ଏକ ବଡ଼ ଦୁର୍ଘଟଣା ଘଟିିଛି। ଘୋସି ରେଳ ଷ୍ଟେଶନ ନିକଟରେ ଥିବା ଇଦ୍‌ଗାହ କାନ୍ଥ ଭୁଶୁଡ଼ିବା ଯୋଗୁ ପ୍ରାୟ ୨୧ରୁ ଅଧିକ ମହିଳା ଏବଂ ଶିଶୁ ପୋତି ହୋଇଯାଇଛନ୍ତି। ମହିଳାମାନେ ହଳଦୀ ଉତ୍ସବ ଲାଗି ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ତେବେ ସୂଚନା ମିଳିବା ପରେ ପୋଲିସ ଏବଂ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ଦୁର୍ଘଟଣାରେ ୩ ମହିଳା ଏବଂ ଜଣେ ଶିଶୁଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଜେସିବି ସହାୟତାରେ ମାଟିକୁ ଆଡେଇ ଲୋକଙ୍କୁ ଉଦ୍ଧାର କରାଯାଉଛି। ଖବର ଲେଖାଯିବା ସୁଦ୍ଧା ୨୧ ଜଣଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାକୁ ପଠାଯାଇଛି। ସେମାନଙ୍କ ଅବସ୍ଥା ଗୁରୁତର ରହିଛି।

ସୂଚନାନୁଯାୟୀ, ଷ୍ଟେଶନ ନିକଟରେ ରହୁଥିବା ଏକ ପରିବାରର ବିବାହ ଇଦ୍‌ଗାହରେ ଅନୁଷ୍ଠିତ ହେବାର ଥିଲା। ଶୁକ୍ରବାର ଅପରାହ୍ନରେ ପରିବାରର ମହିଳାମାନେ ଏବଂ ଛୋଟଶିଶୁ ହଳଦୀ ଉତ୍ସବ ଲାଗି ଯାଉଥିଲେ। ଏହି ସମୟରେ ଇଦ୍‌ଗାହର ଭଙ୍ଗା କାନ୍ଥ ଭୁଶୁଡ଼ି ପଡ଼ିଥିଲା। ମାଟି ତଳେ ମହିଳାମାନେ ଦବି ଯାଇଥିଲେ। ସେମାନଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପୋଲିସକୁ ଘଟଣାନେଇ ସୂଚନା ଦେଇଥିଲେ। ପୋଲିସ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା।

Share