ସ୍ବମନ୍ଦିର ଫେରିଲେ ଦେବଦମ୍ପତି

ପୁରୁଣା ଭୁବନେଶ୍ୱର, ୧୭ା୬ (ଡି.ଏନ୍‌.ଏ.): ଶ୍ରୀଲିଙ୍ଗରାଜ ମହାଦେବଙ୍କ ବିବାହ ଉତ୍ସବ ଶେଷ ହେବା ପରେ ଶ୍ରୀଜୀଉ ବୁଧବାର ସ୍ବମନ୍ଦିର ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏ ନେଇ ପ୍ରାତଃରୁ ମନ୍ଦିରରେ ଆଳତି ଅବକାଶ ସରିବା ପରେ କେଦାରଗୌରୀ ମନ୍ଦିରରେ ଶ୍ରୀଲିଙ୍ଗରାଜଙ୍କ ଆଳତି ଅବକାଶ କରାଯାଇଥିଲା। ପରେ ରୋଷ ହୋମ, ମହାସ୍ନାନ ବେଶ କରାଯାଇ ଦୈନିକ ନୀତି ଭୋଗ ମଣ୍ଡପ ସରିବା ପରେ କେଦାରଗୌରୀ ମନ୍ଦିରରେ ସକାଳ ଧୂପ ମୁଅଁା ଭୋଗ ହୋଇଥିଲା। ମନ୍ଦିରରେ ଦ୍ୱିପ୍ରହର ଧୂପ ସରିବା ପରେ ସେଠାରେ ପୁନଃ ଦ୍ୱିପ୍ରହର ଧୂପ ହୋଇଥିଲା। ଅନ୍ୟପଟେ ମନ୍ଦିରରେ ସନ୍ଧ୍ୟାଧୂପ ସରିବା ପରେ କେଦାରଗୌରୀ ମନ୍ଦିରରେ ଶ୍ରୀଲିଙ୍ଗରାଜଙ୍କ ନିକଟରେ ସନ୍ଧ୍ୟା ଧୂପ ହୋଇଥିଲା। ଏହାପରେ କେଦାରଗୌରୀଙ୍କ ନିକଟରେ ୨ ବଢ଼ା ମୁଅଁା ଭୋଗ କରାଯାଇ କେଦାରେଶ୍ୱର ଏବଂ ଲିଙ୍ଗରାଜଙ୍କ ନିକଟରେ ଭେଟ ଆଳତି କରାଯାଇଥିଲା। ପରେ ଶ୍ରୀଜୀଉମାନେ ସୁସଜ୍ଜିତ ବିମାନ ଓ ପାଲିଙ୍କିରେ ବିଜେ କରିଥିଲେ। ଡୋରି ଲାଗିସାରିବା ପରେ ବଟାରେ ହଳଦୀ ପାଣି ପ୍ରସ୍ତୁତ କରାଯାଇଥିଲା।
ଉକ୍ତ ହଳଦୀ ପାଣିକୁ ପୂଜା ପଣ୍ଡାକୁ ସେବକ ସଂସ୍କାର କରି ଶ୍ରୀଜୀଉଙ୍କ ଉପରେ ସିଞ୍ଚନ କରିଥିଲେ। ଏହାପରେ ଶ୍ରୀଜୀଉମାନେ ସେବାୟତଙ୍କ ଉପସ୍ଥିତିରେ ଶ୍ୱଶୁରଘରୁ ଯୌତୁକସ୍ବରୂପ ଇନ୍ଦ୍ରହସ୍ତୀ ସହ ସ୍ବମନ୍ଦିର ପ୍ରତ୍ୟାବର୍ତ୍ତନ କରିଥିଲେ। ମନ୍ଦିର ଫେରିବା ବାଟରେ ବ୍ରାହ୍ମଣ ନିଯୋଗ, ପୂଜାପଣ୍ଡା ନିଯୋଗ, ପାଟ ଅନୁକୂଳ ବଡୁ ସାହ, ବଡ଼ୁ ନିଯୋଗ, ପଥୁରିଆ ବଡୁସାହରେ ଭୋଗ ଖାଇ ମନ୍ଦିରକୁ ଫେରିଥିଲେ। ଅନ୍ୟପଟେ ପ୍ରଶାସନର ସହଯୋଗ ଅଭାବରୁ କପିଳେଶ୍ୱର ଦେବ ଏହି ବିବାହ ଉତ୍ସବରେ ଯୋଗ ଦେଇ ନ ଥିଲେ। ଫଳରେ ଶ୍ରୀଲିଙ୍ଗରାଜଙ୍କ ତରଫରୁ ମର୍ଯ୍ୟାଦା ଦିଆଯାଇପାରି ନ ଥିଲା। ଯାହାକୁ ନେଇ ସାଧାରଣରେ ନାନା ଅସନ୍ତୋଷ ଦେଖାଯାଇଥିଲା। ସେହିପରି ଶ୍ରୀଜୀଉଙ୍କୁ ଆଣିବା ସମୟରେ ମନ୍ଦିରରେ, ବରଯାତ୍ରୀରେ ସେବାୟତମାନେ ମାସ୍କ ପିନ୍ଧି ନ ଥିଲେ। ଶୋଭାଯାତ୍ରାରେ ତେଲିଙ୍ଗି ବାଜା, ରୋଶଣି ବାରଣ ଥିବାବେଳେ ବହୁ ଜୋରସୋରରେ କରାଯାଇଥିବାରୁ ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରାଯାଇଛି।

Share