ରେଳ ଟ୍ରାକ୍‌ରେ ହାତୀ ମୃତ୍ୟୁ ରୋକିବ ଆଇଡିଏସ୍‌

ଭୁବନେଶ୍ୱର,୧୯।୮(ଅଭିଜିତ ଦାସ): ରାଜ୍ୟରେ ଅନେକ ସମୟରେ ଟ୍ରେନ୍‌ ଧକ୍କାରେ ବହୁ ହାତୀଙ୍କ ମୃତ୍ୟୁ ଘଟୁଛି। ରାଜ୍ୟ ବନ ବିଭାଗ ତଥ୍ୟ ଅନୁଯାୟୀ ୨୦୧୨-୧୩ରୁ ୨୦୨୧-୨୨ ପର୍ଯ୍ୟନ୍ତ ଟ୍ରେନ୍‌ ଧକ୍କାରେ ୩୦ ହାତୀଙ୍କ ମୃତ୍ୟୁ ହୋଇଛି। ୨୦୨୧-୨୨ ରେ ୩ଟି ଓ ଚଳିତ ବର୍ଷ ଅଗଷ୍ଟ୧୦ ସୁଦ୍ଧା ଟ୍ରେନ୍‌ ଧକ୍କାରେ ୪ ହାତୀଙ୍କ ଜୀବନ ଯାଇଛି। ତେଣୁ ଟ୍ରାକ୍‌ ଉପରେ ହାତୀ ମୃତ୍ୟୁ ରୋକିବାକୁ ଅଣ୍ଟା ଭିଡ଼ିଛି ପୂର୍ବତଟ ରେଳପଥ। ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୬ଟି ରେଳ ସେକ୍ସନରେ ଇଣ୍ଟ୍ରୁଜନ୍‌ ଡିଟେକ୍ଟିଭ୍‌ ସିଷ୍ଟମ (ଆଇଡିଏସ୍‌) ବା ଅନୁପ୍ରବେଶ ଚିହ୍ନଟ ପଦ୍ଧତି କାର୍ଯ୍ୟକାରୀ କରାଯିବ। ଏଥିପାଇଁ ବିଭାଗ ପକ୍ଷରୁ ୭୯.୧୨ କୋଟି ଟଙ୍କା ବ୍ୟୟ ଆକଳନ କରାଯାଇଛି। ସମ୍ବଲପୁର ଓ ଖୋର୍ଦ୍ଧା ରୋଡ୍‌ ରେଳମଣ୍ଡଳ ଅଧୀନରେ ଥିବା ଏହି ୬ ରେଳ ସେକ୍ସନର ପ୍ରାୟ ୨୦୦ କିମି ରେଳଧାରଣା ନିକଟରେ ଆଇଡିଏସ୍‌ ରହିବ। ସମ୍ବଲପୁର ରେଳ ମଣ୍ଡଳ ଅଧୀନରେ ମାନେଶର-ବାମୁର, ତୁରେଇକେଲା-ଲଖନା, ଅରାଣ୍ଡ-ଅରଙ୍ଗ ମହାନାଦୀ ଓ ନର୍ଲା-ଥେରୁବାଲି ସେକ୍ସନ ଥିବାବେଳେ ଖୋର୍ଦ୍ଧା ରୋଡ ରେଳ ମଣ୍ଡଳ ଅଧୀନରେ କପିଳାସ ରୋଡ୍‌-ରାଜ ଆଠଗଡ଼-ଅନୁଗୋଳ, ରମ୍ଭା-ଗଞ୍ଜାମ ଏବଂ ନୟାଗଡ଼-ପର୍ଜନପୁର ରେଳ ସେକ୍ସନ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି।
ତେବେ ପୂର୍ବତଟ ରେଳପଥର ସୂଚନା ଅନୁଯାୟୀ ଉତ୍ତର-ପୂର୍ବ ସୀମାନ୍ତ ରେଳପଥର ଅଲିପୁରଦୁଆର ରେଳମଣ୍ଡଳ ଅନ୍ତର୍ଗତ ଦୁୟାର୍ସ ଅଞ୍ଚଳର ଚଲସା-ହାସିମାରା ରେଳ ସେକ୍ସନ ଓ ଲୁମଡିଙ୍ଗ ରେଳମଣ୍ଡଳ ଅନ୍ତର୍ଗତ ଲଙ୍କା-ହାୱାଇପୁର ରେଳ ସେକ୍ସନ ମଧ୍ୟରେ ଆଇଡିଏସ୍‌ ପ୍ରକଳ୍ପର ପରୀକ୍ଷାମୂଳକ ଭାବେ ଟେଷ୍ଟିଂ କରାଯାଇଥିଲା। ପ୍ରକଳ୍ପର ସଫଳତା ପରେ ଉତ୍ତର ସୀମାନ୍ତ ରେଳପଥର ଆସାମ ଓ ଉତ୍ତର ବଙ୍ଗଳାର ରେଳ ଧାରଣା ନିକଟରେ ଥିବା ସମସ୍ତ ହାତୀ କରିଡର୍‌ରେ ଆଇଡିଏସ୍‌ ପଦ୍ଧତି କାର୍ଯ୍ୟକାରୀ କରାଯାଇଛି। ତେବେ ଉକ୍ତ ପାଇଲଟ୍‌ ପ୍ରକଳ୍ପକୁ ପୂର୍ବତଟ ରେଳପଥର ୨ଟି ରେଳ ମଣ୍ଡଳରେ କାର୍ଯ୍ୟକାରୀ କରାଯିବା ସହ ପରବର୍ତ୍ତୀ ପର୍ଯ୍ୟାୟରେ ବିଭିନ୍ନ ସେକ୍ସନରେ କାର୍ଯ୍ୟକାରୀ କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି।

Share