କରୋନାକୁ ୧୦ ରାଜ୍ୟ ହରାଇଲେ ଦେଶ ଜିତିବ

ନୂଆଦିଲ୍ଲୀ, ୧୨ା୮: ଭାରତ ମହାମାରୀ କରୋନାକୁ ଜିତିବା ଲାଗି ପ୍ରୟାସ ଜାରି ରଖିଛି। ଏଥିଲାଗି ପ୍ରତ୍ୟେକ ରାଜ୍ୟର ଗୁରୁଦାୟିତ୍ୱ ରହିଛି। ଦେଶର ୧୦ ରାଜ୍ୟର ସ୍ଥିତି ଜଟିଳ ରହିଛି। ଏହି ରାଜ୍ୟଗୁଡ଼ିକରେ ୮୦%ରୁ ଅଧିକ ଆକ୍ରାନ୍ତ ଅଛନ୍ତି। ଯଦି ଆମେ ଏହି ୧୦ଟି ରାଜ୍ୟରେ କରୋନାକୁ ହରାଇବା, ତେବେ ଭାରତ କରୋନା ବିଜୟୀ ହୋଇପାରିବ ବୋଲି ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରକାଶ କରିଛନ୍ତି। ୧୦ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭର୍ଚୁଆଲ ବୈଠକରେ ଆଲୋଚନା କରି ମୋଦି କହିଛନ୍ତି ବିହାର, ଗୁଜରାଟ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଓ ତେଲଙ୍ଗାନାରେ ଅଧିକରୁ ଅଧିକ କରୋନା ପରୀକ୍ଷା କରାଯିବାର ଆବଶ୍ୟକତା ରହିଛି। ଯଦି ସଂକ୍ରମିତଙ୍କ ସଂସ୍ପର୍ଶରେ କେହି ଆସିଥାନ୍ତି, ତେବେ ୭୨ ଘଣ୍ଟା ମଧ୍ୟରେ ପରୀକ୍ଷା କରିନେବା ଉଚିତ। ବୈଠକରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଇ. ପାଲାନିସାମୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ, ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର, ନୀତୀଶ କୁମାର, ବିଜୟ ରୂପାନୀ ଏବଂ ଓ୍ବାଇ.ଏସ୍‌. ଜଗନମୋହନ ରେଡ୍ଡୀ ଉପସ୍ଥିତ ଥିଲେ। କର୍ନାଟକରୁ ଉପମୁଖ୍ୟମନ୍ତ୍ରୀ ପ୍ରତିନିଧିତ୍ୱ କରିଥିଲେ। ଏକାଧିକ ମୁଖ୍ୟମନ୍ତ୍ରୀ କେନ୍ଦ୍ରୀୟ ସହାୟତା ଲାଗି ଦାବି କରିଥିଲେ। ପ୍ରକାଶଥାଉ କି, ସୋମବାର ମୋଦି ଆସାମ, ବିହାର, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, କର୍ନାଟକ ଓ କେରଳର ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ଓ ବନ୍ୟା ସ୍ଥିତି ନେଇ ସମୀକ୍ଷା କରିଥିଲେ।
ମହାରାଷ୍ଟ୍ର, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, କର୍ନାଟକ ଓ ଉତ୍ତରପ୍ରଦେଶରେ କରୋନା ସ୍ଥିତି ଭୟଙ୍କର ରୂପ ଧାରଣ କରିଥିବାବେଳେ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଇ ୨୨.୮୦ ଲକ୍ଷରେ ପହଞ୍ଚିଲାଣି। ଆକ୍ଟିଭ୍‌ ମାମଲା ଏବେବି ୬. ୪୧ ଲକ୍ଷରୁ ଅଧିକ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୫୩,୬୦୧ ନୂଆ ମାମଲା ସାମ୍ନାକୁ ଆସିିଛି। କରୋନାକୁ ପରାସ୍ତ କରିବା ଲାଗି ମାସ୍କ ପିନ୍ଧିବା, ହାତ ସାନିଟାଇଜ୍‌ କରିବା, ସାମାଜିକ ଦୂରତ୍ୱ ରକ୍ଷାକରିବା ବାଧ୍ୟତାମୂଳକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସରକାରୀ ନୀତି ନିୟମକୁ ପାଳନ କରି ଚିକିତ୍ସା ପ୍ରଣାଳୀର ସୁବିଧା ନେଲେ ଆମେ କରୋନାକୁ ଜିତିପାରିବା ବୋଲି ମୋଦି ପ୍ରକାଶ କରିଛନ୍ତି।

Share