Categories: ଫୁରସତ

ଭଉଣୀ ପାଇଁ ଭାଇ କଲେ ଏମିତି ତ୍ୟାଗ: ଜାଣିଲେ..

ଭାଇର ତ୍ୟାଗ
ଥାଇଲାଣ୍ଡର ଚନିତା ଗରିବ ପରିବାରର ଝିଅ। ଭାଇ ଓ ମା’କୁ ନେଇ ରୁହନ୍ତି। ମା’ ମୁଲ ଲାଗି ଯାହା ରୋଜଗାର କରନ୍ତି ସେଥିରେ ଘର ଚଳାଇବା ସହ ଦୁଇ ପୁଅ ଝିଅଙ୍କୁ ପଢାନ୍ତି। ବହୁ କଷ୍ଟରେ ଦୁଇ ପିଲାଙ୍କର ପଢା ଚାଲିଥାଏ। ତେବେ ଚନିତା ସ୍କୁଲ ଅଫ୍‌ ପବ୍ଲିକ ଆଡମିନିଷ୍ଟ୍ରେସନ୍‌ରେ ଆଡ଼ମିଶନ୍‌ ନେଲେ। ତାଙ୍କ ମା’ଙ୍କ ପକ୍ଷେ ଦୁଇ ପିଲାଙ୍କୁ ପଢାଇବା କଷ୍ଟକର ହୋଇଗଲା। କ’ଣ କରିବେ ବୁଝିପାରୁ ନ ଥାଆନ୍ତି। ଏମିତିରେ ଚନିତାଙ୍କ ଭାଇ କହିଲେ ମୁଁ ପଢା ବନ୍ଦ କରିଦେଉଛି। ଚନିତା ପଢୁ। ହେଲେ ଏକଥା ଯେମିତି ଚନିତା ଜାଣିବ ନାହିଁ। ତାହା ହିଁ ହେଲା। ଚନିତାଙ୍କ ପଢା ଜାରି ରହିଲା। ଚନିତା ପରିଶ୍ରମ କରି ପରିବାରର ପ୍ରଥମ ଗ୍ରାଜୁଏଟ୍‌ ହେଲେ। ଆଉ ସେଇଦିନ ହିଁ ଚନିତାଙ୍କ ମା’ ତାଙ୍କୁ କହିଲେ ଭାଇ କରିଥିବା ତ୍ୟାଗ ସମ୍ପର୍କରେ। ଚନିତାଙ୍କ ଆଖିରୁ ଲୁହ ବୋହିଗଲା। ଭଉଣୀ ସଫଳ ହେଇଥିବା ଜାଣି ଭାଇ ଯେତେବେଳେ ଭଉଣୀର କଲେଜକୁ ଗଲେ ଭଉଣୀର ଖୁସିର ସୀମା ରହିଲା ନାହିଁ। ଏଣେ ଭାଇର ଏତେ ବଡ଼ ତ୍ୟାଗ ପରିବର୍ତ୍ତେ ସେ କ’ଣ କରିପାରିବେ ଜାଣି ପାରି ନ ଥିଲେ। ସଙ୍ଗେ ସଙ୍ଗେ ନିଜ ଗ୍ରାଜୁଏଶନ୍‌ କ୍ୟାପ ଓ ଗାଉନ୍‌ ବାହାର କରି ଭାଇକୁ ପିନ୍ଧାଇ ଦେଇଥିଲେ। ସାର୍ଟିଫିକେଟ୍‌ ଭାଇକୁ ଧରାଇଦେଇ ଭାଇ ପାଦ ତଳେ ପଡ଼ି ମୁଣ୍ଡିଆ ମାରିଥିଲେ। ସେପୁଣି ସମସ୍ତଙ୍କ ସାମ୍‌ନାରେ। ସେଦିନର ସେହି ମୁହୂର୍ତ୍ତର ଫଟୋ ଗଣମାଧ୍ୟମରେ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଲା। ଲୋକେ ଭାଇର ଏଭଳି ତ୍ୟାଗ ଓ ଭଉଣୀର ଭାଇ ପ୍ରତି ସମ୍ମାନ ଓ ଭଲ ପାଇବାକୁ ବହୁତ ପ୍ରଂଶସା କରିଥିଲେ।

Share