Categories: ରାଜ୍ୟ

ଭାଜପା ଜିତିଲେ କିଏ ହେବ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଧର୍ମେନ୍ଦ୍ର ଦେଲେ ବଡ଼ ବୟାନ

ଭୁବନେଶ୍ୱର, ୩୧।୫: ଓଡ଼ିଶାରେ ଶେଷ ପର୍ଯ୍ୟ ନିର୍ବାଚନ ଶନିବାର ଅନୁଷ୍ଠିତ ହେବ। ଏହା ପୂର୍ବରୁ ରାଜ୍ୟରେ ସରକାର ଗଢିବା ନେଇ ଦୃଢକ୍ତି ପ୍ରକାଶ କରିଛନ୍ତି ବରିଷ୍ଠ ଭାଜପା ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି ‘ମୁଁ ନିଶ୍ଚିତ ଯେ ଏଥର ବିଜେପି ସ୍ପଷ୍ଟ ବହୁମତ ସହ ଓଡ଼ିଶାରେ ସରକାର ଗଢ଼ିବାକୁ ଯାଉଛି।

ଗୁରୁବାର ଖବର ସରବରାହ ସଂସ୍ଥା ଏଏନଆଇକୁ ଦେଇଥିବା ଏକ ସାକ୍ଷାତକାରରେ ଧର୍ମେନ୍ଦ୍ର ଏହି ବୟାନ ଦେଇଥିଲା ବେଳେ ଓଡ଼ିଶାରେ ସରକାର ହେଲେ କିଏ ମୁଖ୍ୟମନ୍ତ୍ରୀ ହେବ ସେ ନେଇ ମଧ୍ୟ ଖୁଲାସା କରିଛନ୍ତି। ସେ କହିଛନ୍ତି, ମୁଁ ଲୋକସଭା ନିର୍ବାଚନ ଲଢ଼ୁଛି। କିନ୍ତୁ ମୁଁ ନିଶ୍ଚିତ ଯେ ଏଥର ଭାଜପା ସ୍ପଷ୍ଟ ବହୁମତ ସହ ଓଡ଼ିଶାରେ ସରକାର ଗଢ଼ିବାକୁ ଯାଉଛି। ଭାଜପା ସରକାରରେ ଜଣେ ଓଡ଼ିଆ ବ୍ୟକ୍ତି ହିଁ ମୁଖ୍ୟମନ୍ତ୍ରୀ ହେବେ । କିନ୍ତୁ କିଏ ହେବେ ସେନେଇ ଦଳ ଠିକ୍ ସମୟରେ ନିଷ୍ପତ୍ତ ନେବ ମୁଁ ଦଳର ଜଣେ ସାଧାରଣ କର୍ମକର୍ତ୍ତା, ଦଳରେ ଅନେକ ଯୋଗ୍ୟ ବ୍ୟକ୍ତି ଅଛନ୍ତି, କିଏ ବି ହୋଇପାରିବେ।

ଏଏନ୍‌ଆଇର ସମ୍ପାଦକ ସ୍ମିତା ପ୍ରକାଶଙ୍କ ପ୍ରଶ୍ନ ‘ମୁଁ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ସହ କ‌ଥା ହେଉଛି କି?’ର ଉତ୍ତର ଦେଇ ଧର୍ମେନ୍ଦ୍ର ଏପରି ମତ ରଖିଥିଲେ। ଏହି ସାକ୍ଷାତକାର ଅବସରରେ ଧର୍ମେନ୍ଦ୍ର କହିଛନ୍ତି ଯେ ୨୦୧୪ରେ ଆମେ ଓଡ଼ିଶାରେ ତିନି ନମ୍ବର ସ୍ଥାନରେ ଥିଲୁ ୨୦୧୯ରେ ଦୁଇ ନମ୍ବରକୁ ଆସିଥିଲୁ ଏଥର ଆମେ ୨୧ରୁ ୨୧ ଲୋକସଭା ଆସନ ଜିତିବୁ। ବହୁମତ ସହ ଏଠାରେ ସରକାର ଗଠନ କରିବୁ। ଏହି ସାକ୍ଷାତକାରରେ ସେ କଂଗ୍ରେସକୁ ଟାର୍ଗେଟ୍ କରି କହିଛନ୍ତି ଯେ ଓଡ଼ିଶାରେ କଂଗ୍ରେସ ପାର୍ଟି ନବୀନଙ୍କ ପକେଟରେ ରହିଛି।

Share