‘ବିଏମ୍‌ସି ଉଚ୍ଛେଦ ନ କଲେ ଆମେ ଉଠାଇବୁ’

ଭୁବନେଶ୍ୱର, ୮।୪ (ବ୍ୟୁରୋ): ସହରର ପ୍ରମୁଖ ମାର୍କେଟ କୁହାଯାଉଥିବା ୟୁନିଟ୍‌-୨ସ୍ଥିତ ମାର୍କେଟ ବିଲ୍ଡିଂରେ ସ୍ଥାୟୀ ଓ ଉଠା ଦୋକାନୀଙ୍କ ମଧ୍ୟରେ ଲାଗିଥିବା ବିବାଦ ସମାଧାନ ହୋଇପାରୁ ନାହିଁ। ମାର୍କେଟରେ ଉଠାଦୋକାନୀଙ୍କ ବେପାରକୁ ବିରୋଧ କରି ପୁଣିଥରେ ବିଏମ୍‌ସିର ଦ୍ୱାରସ୍ଥ ହୋଇଛି ୟୁନିଟ-୨ ସେଣ୍ଟ୍ରାଲ ମାର୍କେଟ ଆସୋସିଏଶନ। ବିଏମ୍‌ସି ଅତିରିକ୍ତ କମିଶନର-୩ ସୂର୍ଯ୍ୟବଂଶୀ ମୟୁର ବିକାଶଙ୍କୁ ଦେଖା କରିବା ସହିତ ତୁରନ୍ତ ଉଠାଦୋକାନୀଙ୍କୁ ଉଚ୍ଛେଦ କରିବାକୁ ଦାବି କରିଛି। ଏନେଇ ଅତିରିକ୍ତ କମିଶନର ୩ଦିନ ସମୟ ମାଗିବା ସହ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତେବେ ୩ଦିନ ଛୁଟି ପଡୁ ଥିବାରୁ ସୋମବାର ଦିନ ଆସୋସିଏଶନ ପକ୍ଷରୁ ବିଏମ୍‌ସିକୁ ଚିଠି କରାଯିବ। ବୁଧବାର ସୁଦ୍ଧା ବିଏମ୍‌ସି ଉଠାଦୋକାନୀଙ୍କୁ ମାର୍କେଟରୁ ନ ଉଠାଇଲେ ଗୁରୁବାର ଆସୋସିଏଶନ ନିଜେ ଉଚ୍ଛେଦ କରିବ। ଏଥିପାଇଁ ଯେଉଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ବିଏମ୍‌ସି ଓ ପୋଲିସ ପ୍ରଶାସନ ଦାୟୀ ରହିବ ବୋଲି ଆସୋସିଏଶନ ସଭାପତି ପ୍ରଦ୍ୟୁମ୍ନ ଲେଙ୍କା ସୂଚନା ଦେଇଛନ୍ତି।
ଏବେ ମାର୍କେଟ ବିଲ୍ଡିଂରେ ପୁଣିଥରେ ଉଠାଦୋକାନୀମାନେ ବେପାର ଜମାଇବା ଆରମ୍ଭ କରି ଦେଲେଣି। ୨୦ରୁ ଊର୍ଦ୍ଧ୍ୱ ଉଠାଦୋକାନୀ ବେପାର କରୁଥିବାବେଳେ ଏହାକୁ ବିରୋଧ କରି ଆସୋସିଏଶନ ପକ୍ଷରୁ ମଙ୍ଗଳବାର ସକାଳୁ ଅପରାହ୍ନ ୩ଟା ଯାଏ ମାର୍କେଟ ବିଲ୍ଡିଂକୁ ବନ୍ଦ ରଖାଯାଇଥିଲା। ପରେ ବିଏମ୍‌ସି ସହ ଆଲୋଚନା କରି ମାର୍କେଟ ଖୋଲା ଯାଇଥିଲା। ତେବେ ଯଥାଶୀଘ୍ର ଏହି ସମସ୍ୟାର ସମାଧାନ କରା ନ ଗଲେ ମାର୍କେଟକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ବନ୍ଦ କରାଯିବ ବୋଲି ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ଅସ୍ଥାୟୀ ବା ଉଠା ଦୋକାନୀଙ୍କ ପାଇଁ ସ୍ଥାୟୀ ଦୋକାନୀଙ୍କ ବେପାର ପ୍ରଭାବିତ ହେବା ସହ କ୍ଷତି ସହୁଛନ୍ତି। ଅପରପକ୍ଷେ ମାର୍କେଟର ସୌନ୍ଦର୍ଯ୍ୟ ଓ ରକ୍ଷଣାବେକ୍ଷଣ ପାଇଁ ସ୍ଥାୟୀ ଦୋକାନୀମାନେ ବିଏମ୍‌ସିକୁ ଟିକସ ଦେଉଛନ୍ତି। ମାତ୍ର ଅସ୍ଥାୟୀ ଦୋକାନୀମାନେ କୌଣସି ଟିକସ ନ ଦେଇ ମାର୍କେଟ ମଝିରେ ଏଠିସେଠି ବସିବା ସହିତ ସୌନ୍ଦର୍ଯ୍ୟ ନଷ୍ଟ କରୁଛନ୍ତି। ତେବେ ବାରମ୍ବାର ଏଭଳି ବିବାବ ପରେ ବି ବିଏମ୍‌ସି ଏହାକୁ ଗୁରୁତ୍ୱର ସହ ନେଉ ନ ଥିବାରୁ ସ୍ଥାୟୀ ଦୋକାନୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

Share