Categories: ଜାତୀୟ

ଶରଦ ପାଓ୍ବାର ରାଷ୍ଟ୍ରପତି ହେଲେ ଦେଶରେ ବୃଦ୍ଧି ପାଇବ ଆତଙ୍କବାଦ: ଭାଜପା ଏମ୍‌ପି

ନୂଆଦିଲ୍ଲୀ,୧୬।୬: ରାଷ୍ଟ୍ରପତି ନିର୍ବାଚନକୁ ନେଇ ଦେଶର ରାଜନୀତି ସରଗରମ ରହିଛି। ଭାଜପା ପ୍ରାର୍ଥୀ ଦେବାକୁ ଏକ ପ୍ରକାର ପ୍ରସ୍ତୁତ ଥିବାବେଳେ ବିରୋଧୀ ମିଳିତ ଭାବେ ପ୍ରାର୍ଥୀ ଦେବାକୁ ସଜବାଜ ହେଉଛନ୍ତି। ତେବେ ବିରୋଧୀଙ୍କ ପକ୍ଷରୁ ଏନସିପି ସୁପ୍ରିମୋ ଶରଦ ପାଓ୍ବାର ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଛି। ଯଦିଓ ଶରଦ ପ୍ରାର୍ଥୀ ହେବାକୁ ରୋକଠୋକ ମନା କରିଦେଇଛନ୍ତି, କିନ୍ତୁ ତାଙ୍କୁ ବୁଝାଇବା ପାଇଁ ଚେଷ୍ଟା ଚାଲିଛି। ତେବେ ଏସବୁ ଭିତରେ ଭାଜପା ଏମ୍‌ପି ଦିଲୀପ ଘୋଷ ଶରଦ ପାୱାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି। ପାୱାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ, ଆତଙ୍କବାଦୀଙ୍କ ସହ ଶରଦ ପାୱାରଙ୍କର ସମ୍ପର୍କ ରହିଛି। ଯଦି ଆମ ଦେଶରେ ଏପରି ରାଷ୍ଟ୍ରପତି ରହିବେ, ତେବେ ଆତଙ୍କବାଦ ମଧ୍ୟ ବୃଦ୍ଧି ପାଇବ।
ସୂଚନାଯୋଗ୍ୟ,ଏନସିପି ସୁପ୍ରିମୋ ଶରଦ ପାୱାର ଜୁଲାଇ ୧୮ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରୁ କିଛି ଦିନ ପୂର୍ବରୁ ନିଜକୁ ଦୂରେଇ ରଖିଥିଲେ, କିନ୍ତୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଷ୍ଟ୍ରପତି ନିର୍ବାଚନକୁ ଦୃଷ୍ଟିରେ ରଖି ଡାକିଥିବା ବୈଠକରେ ପାଓ୍ବାର ଯୋଗ ଦେଇଥିଲେ। ଏହି ବୈଠକରେ ୧୬ଟି ଦଳ ଯୋଗଦେଇଥିଲେ।

Share