Categories: ଖେଳ

ରାଗିକି ନିଆଁବାଣ ହେଲେ କୋହଲି

ପର୍ଥ,୩୧।୧୦: ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି ବର୍ତ୍ତମାନ ଟି-୨୦ ବିଶ୍ୱକପ ୨୦୨୨ ପାଇଁ ଅଷ୍ଟ୍ରେଲିଆରେ ଅଛନ୍ତି। ସେପଟେ ବିରାଟ କୋହଲିଙ୍କ ହୋଟେଲ ରୁମର ଏକ ଭିଡିଓ ଲିକ ହୋଇଛି। ଭିଡିଓ ଲିକ୍‌ ହେବା ପରେ କୋହଲି ରାଗିକି ନିଆଁବାଣ ହୋଇପଡିଛନ୍ତି।
ବିରାଟ କୋହଲିଙ୍କ ହୋଟେଲ ରୁମର ଏହି ଭିଡିଓ ଜଣେ ପ୍ରଶଂସକଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି। ପ୍ରଶଂସକଙ୍କ ଏହି କାର୍ଯ୍ୟ ଉପରେ ବିରାଟ କୋହଲି ସୋସିଆଲ ମିଡିଆରେ ଏହି ଭିଡିଓ ଶେୟାର କରି ନିଜର କ୍ରୋଧ ପ୍ରକାଶ କରିଛନ୍ତି। ଭିଡିଓ ପୋଷ୍ଟ କରି ସେ ଲେଖିଛନ୍ତି, ମୁଁ ବୁଝିପାରୁଛି ଯେ ପ୍ରଶଂସକମାନେ ସେମାନଙ୍କର ପ୍ରିୟ ଖେଳାଳିଙ୍କୁ ଦେଖି ବହୁତ ଖୁସି ହୁଅନ୍ତି। ତାଙ୍କୁ ଭେଟିବାକୁ ଉତ୍ସାହିତ ଏବଂ ମୁଁ ଏହାକୁ ସର୍ବଦା ସପୋର୍ଟ କରିଛି କିନ୍ତୁ ଏହି ଭିଡିଓ ଭୟଙ୍କର ଅଟେ। ଏହା ମୋର ଗୋପନୀୟତା ପଦାରେ ପକାଇଛି।
ବିରାଟ କୋହଲି ଆହୁରି ଲେଖିଛନ୍ତି, ଯଦି ମୁଁ ମୋର ହୋଟେଲ ରୁମରେ ଗୋପନୀୟତା ରକ୍ଷା କରିପାରିବି ନାହିଁ, ତେବେ ମୁଁ ଆଉ କେଉଁଠି ବ୍ୟକ୍ତିଗତ ସ୍ଥାନ ଆଶା କରିପାରିବି ? ଗୋପନୀୟତାର ଏପରି ସମ୍ପୂର୍ଣ୍ଣ ଉଲ୍ଲଂଘନ ସହିତ ମୁଁ ସହମତ ନୁହେଁ। ଦୟାକରି ଲୋକଙ୍କ ଗୋପନୀୟତାକୁ ସମ୍ମାନ ଦିଅନ୍ତୁ ଏବଂ ସେମାନଙ୍କୁ ମନୋରଞ୍ଜନର ବସ୍ତୁ ଭାବରେ ବ୍ୟବହାର କରନ୍ତୁ ନାହିଁ।
ଟିମ ଇଣ୍ଡିଆ ରବିବାର ପର୍ଥରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ବିଶ୍ୱକପ ୨୦୨୨ରେ ତୃତୀୟ ମ୍ୟାଚ ଖେଳଥିଲା। ତେଣୁ ଏହି ଭିଡିଓ ପର୍ଥର ଏକ ହୋଟେଲ ବୋଲି ଜଣାପଡିଛି। ଟିମ ଇଣ୍ଡିଆ ପୂର୍ବରୁ ମେଲବୋର୍ନ ଏବଂ ସିଡନୀରେ ଏହାର ଦୁଇଟି ମ୍ୟାଚ ଖେଳିଥିଲା। ଏହି ଭାଇରାଲ ଭିଡିଓରେ ବିରାଟ କୋହଲିଙ୍କ ଟିମ ଜର୍ସି, ୱାଚ ଭଳି ବ୍ୟକ୍ତିଗତ ଜିନିଷ ଦୃଶ୍ୟମାନ ହେଉଛି।

Share