ଭୁବନେଶ୍ୱର,୮ା୬(ବ୍ୟୁରୋ): ଟ୍ରେନ୍ ମୃତକଙ୍କୁ ଚିହ୍ନଟ ଲାଗି ଏମ୍ସ ପରିସରରେ ଖୋଲାଯାଇଥିବା ହେଲ୍ପଡେସ୍କ ନିକଟରେ ନିଜ ସାଙ୍ଗକୁ ଝୁରି ହେଉଛନ୍ତି ୨୭ ବର୍ଷିୟ ଯୁବକ ହିମାଂଶୁ ମିଶ୍ର। କୋହଭରା ସ୍ବରରେ କହୁଛନ୍ତି, ମୋ ସାଙ୍ଗ ଇଶୁ କାହିଁ। କେଉଁଠି ଅଛି ଇଶୁ। ତା’ର କିଛି ହୋଇନାହିଁ ତ। ମୋତେ ମୋ ସାଙ୍ଗ ଇଶୁ ପାଖକୁ ନେଇଚାଲ। ଯଦି ନ ନେବ ମୁଁ ଏଇଠି ସୁସାଇଡ୍ କରିଦେବି। କାନ୍ଦି କାନ୍ଦି ଏମିତି କହୁଥିଲେ ବିହାରରୁ ଆସିଥିବା ହିମାଂଶୁ। ତାଙ୍କ କହିବା କଥା ସେ ଓ ତାଙ୍କ ସାଙ୍ଗ ଇଶୁ ଘରେ କାହାକୁ କିଛି ନ କହି ଲୁଚି ପଳାଇ ଆସିଥିଲେ। ଚେନ୍ନାଇରେ କାମ କରିବା ପାଇଁ ହାଓଡ଼ାରୁ କରମଣ୍ଡଳ ଏକ୍ସପ୍ରେସ୍ରେ ଚଢ଼ିଥିଲେ। ଟ୍ରେନ୍ରେ ବସି ମଜାମସ୍ତି କରି ଯାଉଥିଲେ। ହଠାତ୍ କ’ଣ ହେଲା କେଜାଣି କିଛି ଜାଣିପାରି ନ ଥିଲେ। ଚେତା ଆସିବା ପରେ ହିମାଂଶୁ ନିଜକୁ ହସ୍ପିଟାଲ ବେଡ୍ରେ ଥିବା ଦେଖି କିଛି ବୁଝି ପାରି ନ ଥିଲେ। ହସ୍ପିଟାଲ୍ରେ ପଚାରିବାରୁ ଜାଣିପାଇଲେ, ତାଙ୍କ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। କିନ୍ତୁ ମୋ ସାଙ୍ଗ କେଉଁଠି ଅଛି ତାହା ଜାଣିପାରୁନାହିଁ। ଗତକାଲି ହସ୍ପିଟାଲରୁ ଡିସଚାର୍ଜ ହୋଇ ସାଙ୍ଗକୁ ଖୋଜି ବୁଲୁଛି। ହେଲେ କେଉଠି ବି ତା’ର ଠିକଣା ମିଳିପାରୁନାହିଁ। ଏପରିକି ସାଙ୍ଗକୁ ଝୁରି ଝୁରି ବାରମ୍ବାର ଚେତାଶୂନ୍ୟ ହେଉଥିବାର ଦେଖିବାକୁ ମିଳିଥିଲା ହେଲ୍ପଡେ ନିକଟରେ।