Categories: ଜାତୀୟ

‘ଯଦି ମୁଁ ଅପରାଧ କରିଛି, ଗିରଫ କର’

ରାଞ୍ଚି,୩।୧୧: ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗୁରୁବାର ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ରେ ହାଜର ହୋଇନାହାଁନ୍ତି। ସେ ଇଡିକୁ ଏକ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ବେଆଇନ ଖଣି ମାମଲାରେ ପଚରାଉଚରା ପାଇଁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ହେମନ୍ତ ସୋରେନଙ୍କୁ ରାଞ୍ଚି କାର୍ଯ୍ୟାଳୟରେ ହାଜର ହେବାକୁ ଗୁରୁବାର ଡକାଇଥିଲେ। କିନ୍ତୁ ସେ ହାଜର ହୋଇ ନ ଥିଲେ। ରାଜ୍ୟ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସହ ଏକଜୁଟ ପ୍ରକାଶ କରିବାକୁ ଜେଏମଏମ କର୍ମୀମାନେ ରାଞ୍ଚିରେ ଏକ ପଦଯାତ୍ରା କରିଥିଲେ। ତାଙ୍କ ବାସଭବନ ବାହାରେ ଏକତ୍ରିତ ହୋଇଥିବା ସମର୍ଥକଙ୍କୁ ସମ୍ବୋଧିତ କରି ସୋରେନ କହିଛନ୍ତି, ଆଜି ମୋତେ ଇଡି ନିକଟରେ ହାଜର ହେବାକୁ ଥିଲା କିନ୍ତୁ ି ଛତିଶଗଡରେ ଆଜ ମୋର ଏକ କାର୍ଯ୍ୟକ୍ରମ ପୂର୍ବରୁ ନିର୍ଦ୍ଧାରିତ ଥିଲା। ଯଦି ମୁଁ କୌଣସି ଅପରାଧ କରିଛି ତେବେ ମୋତେ ଗିରଫ କର। ପଚରାଉଚରା ପାଇଁ କାହିଁକି ଡାକୁଛ। ସାମ୍ବିଧାନିକ ସଂସ୍ଥାର ଅପବ୍ୟବହାର କରାଯାଉଛି। ଯେକୌଣସି ଭାବେ ସରକାରଙ୍କୁ ହଟାଇବାକୁ କେନ୍ଦ୍ରୀୟ ଏଜେନ୍ସି ଷଡଯନ୍ତ୍ର କରୁଛି। ଏମାନେ ସର୍ବଦା ଏଠାରେ ଆଦିବାସୀ, ଦଲିତମାନଙ୍କୁ ଧ୍ୱଂସ କରିବାର କାର୍ଯ୍ୟ କରିଛନ୍ତି। ଏହି ଲୋକମାନେ କେବେ ଚାହାଁନ୍ତି ନାହିଁ ଯେ ଆଦିବାସୀ, ଦଳିତ ଆଗକୁ ବଢନ୍ତୁ। କିନ୍ତୁ ଆମେ ନଇଁବୁ ନାହିଁ, ଆଗକୁ ବଢିବୁ।
ନଭେମ୍ବର ୩ରେ ଇଡି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ବେଆଇନ ଖଣି ଖନନ ମାମଲାରେ ଟଙ୍କା ହେରଫେର ବିଷୟରେ ପଚରାଉଚରା ପାଇଁ ଡକାଇଥିଲା। ପ୍ରିଭେନସନ ଅଫ ମନି ଲଣ୍ଡରିଂ ଆକ୍ଟ (ପିଏମଏଲଏ) ଅନୁଯାୟୀ ଏଜେନ୍ସି ସୋରେନଙ୍କୁ ପ୍ରଶ୍ନ କରିବା ସହ ତାଙ୍କ ବିବୃତ୍ତି ରେକର୍ଡ କରିବାକୁ ଚାହୁଁଛି। ଇଡି ପୂର୍ବରୁ ଏହି ମାମଲାରେ ସୋରେନଙ୍କ ରାଜନୈତିକ ସହାୟକ ପଙ୍କଜ ମିଶ୍ର ଏବଂ ଅନ୍ୟ ଦୁଇଜଣଙ୍କୁ ଗିରଫ କରିଥିଲା।

Share