ହଟିଥାନ୍ତା ଶଟଡାଉନ ହେଲେ ପୁଣି ସପ୍ତାହେ ଲାଗୁହେଲା ଲକଡାଉନ୍‌: ଜାଣନ୍ତୁ କ’ଣ ଖୋଲା ରହିବ କ’ଣ ବନ୍ଦ

ମାଲକାନଗିରି,୧୨।୭(ଡି.ଏନ୍‌.ଏ.): କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ମାଲକାନଗିରି ଜିଲା ପ୍ରଶାସନ ଗତ ଶୁକ୍ରବାର ରାତି ୮ଟାରୁ ରବିବାର ରାତି ୧୨ଟା ପର୍ଯ୍ୟନ୍ତ ମାଲକାନଗିରି ପୌରପରିଷଦ ଓ ବାଲିମେଳା ବିଜ୍ଞାପିତ ଅଞ୍ଚଳକୁ ଶଟଡାଉନ୍‌ ଘୋଷଣା କରିଥିଲେ। ଏହି ଦୁଇଦିନ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ କୌଣସି ବ୍ୟକ୍ତି ବିନା କାରଣରେ ଘରୁ ବାହାରୁ ନାହାନ୍ତି।
ତେବେ ରବିବାର ଗୋଟିଏ ଦିନରେ ୩୬ ଜଣ କରୋନା ପଜିଟିଭ ଚିହ୍ନଟ ପରେ ଜିଲାପାଳ ମନିଷ ଅଗ୍ରଓ୍ବାଲ ସୋମବାର ରାତି ୮ ଟାରୁ ୧୯ ତାରିଖ ଯର୍ପ୍ୟନ୍ତ ଏକ ସପ୍ତାହ ଲକଡାଉନ୍‌ ଘୋଷଣା କରିଛନ୍ତି। ତେବେ ଏହି ଏକ ସପ୍ତାହ ମଧ୍ୟରେ ସମସ୍ତ ବ୍ୟସାୟ ପ୍ରତିଷ୍ଠାନ, କାର୍ଯ୍ୟାଳୟ, ଗୋଦାମ ଗୁହଗୁଡ଼ିକ ବନ୍ଦ ରହିବ। ଖାଉଟି ସାମଗ୍ରୀ, ପନିପରିବା, କ୍ଷୀର ଦୋକାନ, ଇତ୍ୟାଦି ଖୋଲା ରହିବ। ଏଥିସହ ଅତ୍ୟାବଶ୍ୟକ ସ୍ଥଳେ ଚିକିତ୍ସାଳୟକୁ ଯିବା ଆସିବା ନିମନ୍ତେ ଟ୍ୟାକ୍ସି, ଅଟୋ ରିକ୍ସା ଚଳାଚଳ ହୋଇ ପାରିବ । ଏତଦ୍‌ ବ୍ୟତୀତ ଜିଲାପାଳ, ଉପଜିଲାପାଳ, ତହସିଲ, ବ୍ଲକ, ପୁଲିସ, ଅଗ୍ନିଶମ ବିଭାଗ, ବ୍ୟାଙ୍କ, ଏଟିଏମ୍‌, ପୋଷ୍ଟ ଅଫିସ ଇତ୍ୟାଦି କାର୍ଯ୍ୟାଳୟଗୁଡିକ ଖୋଲା ରହିବ । ଗ୍ୟାସ, ପେଟ୍ରୋଲ ଇତ୍ୟାଦି ସଂସ୍ଥା ଗୁଡିକ ମଧ୍ୟ ଖୋଲା ରହିବ ବୋଲି ଜିଲାପାଳ ଅଗ୍ରଓ୍ବାଲ ସୂଚନା ଦେଇଛନ୍ତିା