ପୁଣି ବର୍ଷା ହେଲେ ଶୀତ ପ୍ରକୋପ ବଢ଼ିବ

ଭୁବନେଶ୍ୱର,୨୯।୧(ଅନୁରାଧା ମହାରଣା): ଏବେ ଦିନରେ ଖରା ଓ ରାତିରେ ଥଣ୍ଡା ଅନୁଭୂତ ହେଉଛି। ଶୀତ ଲହରି ଜାରି ରହିଥିବାବେଳେ ରାଜ୍ୟର ଅଧିକାଂଶ ସ୍ଥାନରେ କୁହୁଡିର ଆସ୍ତରଣ ଦେଖିବାକୁ ମିଳୁଛି। ତେବେ ଆଗକୁ ବର୍ଷା ସମ୍ଭାବନା ରହିଥିବାରୁ ଶୀତ ପ୍ରକୋପ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରୁଛି। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ନବରଙ୍ଗପୁରରେ ସର୍ବାଧିକ ୩୨ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ରହିଥିବାବେଳେ ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ୮.୫ ଡିଗ୍ରୀ ରେକର୍ଡ କରାଯାଇଛି। ସୋମବାର ପାଗ ଶୁଖିଲା ରହିବ। ଆଭ୍ୟନ୍ତରୀଣ ଓଡ଼ିଶା ସମେତ ରାଜ୍ୟର ଅନ୍ୟାନ୍ୟ ଜିଲାର ଗୋଟିଏ ଦୁଇଟି ସ୍ଥାନରେ କୁହୁଡି ହେବ। ତେବେ ଘନ କୁହୁଡ଼ି ନେଇ କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ନବରଙ୍ଗପୁର ଓ କୋରାପୁଟ ଆଦି ଜିଲାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ୩୦ ଓ ୩୧ ତାରିଖ ବେଳକୁ ଉତ୍ତର ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଦେଖିବାକୁ ମିଳିବ। କିନ୍ତୁ ଫେବୃଆରୀ ପହିଲାବେଳକୁ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଆଦି ଜିଲାରେ ହାଲୁକା ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ୨ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଆଦି ଜିଲାରେ ହାଲୁକା ବର୍ଷା ହେବାକୁ ଥିବାବେଳେ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ପାଗ ଶୁଖିଲା ରହିବ। ୩ ତାରିଖରେ ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ ଆଦି ଜିଲାରେ ବର୍ଷା ହେବାକୁ ଥିବାବେଳେ ୪ ତାରିଖରେ ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ା ଆଦି ଜିଲାରେ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି।

Share