ମା’ମାନେ ସଶକ୍ତ ହେଲେ ଓଡ଼ିଶା ସଶକ୍ତ ହେବ

ଛତ୍ରପୁର,୧୭ା୧୨(ସନ୍ତୋଷ ପାଢ଼ୀ): ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଦ୍ୱିତୀୟ ଦିନର ଗଞ୍ଜାମ ଜିଲା ଗସ୍ତ ବେଳେ ରବିବାର ଛତ୍ରପୁର ବ୍ଲକ ସୁନ୍ଦରପୁରର ସୁନ୍ଦରେଶ୍ୱର ମନ୍ଦିରର ରୂପାନ୍ତରୀକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ମନ୍ଦିରରେ ପୂଜାର୍ଚ୍ଚନା ପରେ ଏକ ସଭାକୁ ସେ ସମ୍ବୋଧନ କରି କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ଓଡ଼ିଶା ଗଠନ କରିବାରେ ଲାଗିପଡ଼ିଛନ୍ତି। ମୁଖ୍ୟମନ୍ତ୍ରୀ ସର୍ବଦା ଶିକ୍ଷା, ସ୍ବାସ୍ଥ୍ୟ, ଜଳସେଚନ ଓ ଗମନାଗମନର ବିକାଶ ପାଇଁ ଗୁରୁତ୍ୱ ଦେଇଆସୁଛନ୍ତି। ହାଇସ୍କୁଲ, କଲେଜ, ହସ୍ପିଟାଲ ରୂପାନ୍ତରୀକରଣ କରାଯାଉଛି। ତେବେ କେତେକ ଲୋକଙ୍କୁ ଏସବୁ ଦେଖାଯାଉନି ବୋଲି ବିରୋଧୀଙ୍କୁ ୫-ଟି ଅଧ୍ୟକ୍ଷ କଟାକ୍ଷ କରିଥିଲେ। ଗଞ୍ଜାମ ଜିଲାରେ ଖୁବ୍‌ଶୀଘ୍ର ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ ହେବ ଏବଂ ପ୍ରତି ପଞ୍ଚାୟତରୁ ବ୍ଲକକୁ ଦୈନିକ ୩ ଥର ବସ୍‌ ଯାତାୟାତ କରିବ ବୋଲି ସେ ସୂଚନା ଦେଇଥିଲେ। ଓଡ଼ିଶାର ୮୦ ପ୍ରତିଶତ ପରିବାରଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯାଇଛି ଏବଂ ମାଗଣାରେ ଉନ୍ନତମାନର ସ୍ବାସ୍ଥ୍ୟସେବା ଲୋକେ ପାଇପାରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କହିବାନୁସାରେ ମା’ମାନଙ୍କୁ ସଶକ୍ତ କଲେ ଓଡ଼ିଶା ଆଗେଇପାରିବ ଏବଂ ଓଡ଼ିଶା ସଶକ୍ତ ହୋଇପାରିବ। ଏଣୁ ମିଶନ ଶକ୍ତିର ମା’ମାନଙ୍କୁ ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ, ଲକ୍ଷ୍ମୀ ବସ୍‌ରେ ଯାତାୟାତ ପାଇଁ ମା’ମାନଙ୍କ ଲାଗି ୫ ଟଙ୍କାରେ ଟିକେଟ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମା’ମାନଙ୍କ ପାଇଁ ଅତିରିକ୍ତ ୫ ଲକ୍ଷ ଟଙ୍କାର ସହାୟତା ଆଦି ର ବ୍ୟବସ୍ଥା ମୁଖ୍ୟମନ୍ତ୍ରୀ କରିଛନ୍ତି ବୋଲି ସେ କହିଥିଲେ। ଛତ୍ରପୁର ନିର୍ବାଚନମଣ୍ଡଳୀ ଅଧିନସ୍ଥ ସୁନ୍ଦରେଶ୍ୱର ମନ୍ଦିର ରୂପାନ୍ତରୀକରଣ ପାଇଁ ୧ କୋଟି ୫୦ ଲକ୍ଷ ଟଙ୍କା, ରାମଚଣ୍ଡୀ ମନ୍ଦିର ପାଇଁ ୨.୨୦ କୋଟି ଟଙ୍କା ଓ ବଟେଶ୍ୱର ମନ୍ଦିର ରୂପାନ୍ତରୀକରଣ ପାଇଁ ୧.୫୦ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁର କରିଥିବା ୫-ଟି ଅଧ୍ୟକ୍ଷ କହିଥିଲେ। ଏଥିସହ ଋଷିକୁଲ୍ୟା ନଦୀର କଂସାରୀଗଣ୍ଡରେ ବନ୍ଧ ନିର୍ମାଣ ପାଇଁ ୧୬୦ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି ଏବଂ ଏହାଦ୍ୱାରା ଗଞ୍ଜାମ ଓ ଛତ୍ରପୁର ବ୍ଲକର ଚାଷୀ ପାଣି ପାଇପାରିବେ ବୋଲି ସେ କହିଥିଲେ। ବଟେଶ୍ୱର, ରାମଚଣ୍ଡୀ ଓ ସୁନ୍ଦରେଶ୍ୱର ମନ୍ଦିର କମିଟି ପକ୍ଷରୁ ୫-ଟି ଅଧ୍ୟକ୍ଷଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ଛତ୍ରପୁର ବିଡିଓ ସୁଶାନ୍ତ ବରାଳ ପ୍ରମୁଖ ଉପସ୍ଥିତ ଥିଲେ।

Share