Categories: ଜାତୀୟ

‘ନେହରୁ ଚାହିଁଥିଲେ ୧୯୪୭ରେ ଗୋଆ ଘଣ୍ଟାକ ମଧ୍ୟରେ ସ୍ବାଧୀନତା ପାଇଥାନ୍ତା’

ପାଣାଜୀ,୧୧।୨: ୧୯୪୭ରେ ଭାରତ ସ୍ବାଧୀନତା ହାସଲ କଲା ବେଳେ ପଣ୍ଡିତ ଜଓ୍ବାହରଲାଲ ନେହରୁ ଚାହିଁଥିଲେ, ଗୋଆ କିଛି ଘଣ୍ଟା ମଧ୍ୟରେ ସ୍ବାଧୀନ ହୋଇଥାନ୍ତା। କିନ୍ତୁ ପର୍ତ୍ତୁଗୀଜ ଶାସନରୁ ଏହି ରାଜ୍ୟକୁ ମୁକ୍ତ ହେବା ପାଇଁ ୧୫ ବର୍ଷ ଲାଗିଥିଲା। ଏଭଳି କହି କଂଗ୍ରେସକୁ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଆସନ୍ତା ୧୪ ତାରିଖରୁ ଆରମ୍ଭ ହେବାକୁ ଥିବା ଗୋଆ ବିଧାନସଭା ନିର୍ବାଚନ ଲାଗି ମାପୁସାରେ ଏକ ରାଲିକୁ ସମ୍ବୋଧନ ଦେଇ ମୋଦି କହିଛନ୍ତି, କଂଗ୍ରେସ ଗୋଆକୁ ଶତ୍ରୁ ଭଳି ବ୍ୟବହାର କରିଆସୁଛି। ଏବେ ବି ରାଜ୍ୟରେ ରାଜନୈତିକ ଅସ୍ଥିରତା ସୃଷ୍ଟି କରିବା ପାଇଁ ସେହିଭଳି ବ୍ୟବହାର ଜାରି ରହିଛି। ଏହି ଦଳ କଦାପି ରାଜ୍ୟର ରାଜନୈତିକ ପରମ୍ପରା, ଯୁବକଙ୍କ ଆକାଂକ୍ଷା ବୁଝିବାକୁ ଚେଷ୍ଟା କରି ନାହିଁ। ସେମାନେ ସର୍ବଦା ଗୋଆକୁ ଶତ୍ରୁ ଭାବେ ଦେଖି ଆସିଛନ୍ତି।

“ଗୋଆର ସ୍ବାଧୀତନା ଆନ୍ଦୋଳନକୁ କଂଗ୍ରେସ କେଉଁ ଭଳି ଧ୍ୱଂସ କରିଥିଲା, ସେ ସମ୍ପର୍କରେ ମୁଁ ଦୁଇ-ଦିନ ତଳେ ସଂସଦରେ କହିଥିଲି। ଭାରତର ସ୍ବାଧୀନତାର ୧୫ ବର୍ଷ ପରେ ଗୋଆକୁ ସ୍ବାଧୀତନା ମିଳିଥିଲା। ଏହା ଅନେକଙ୍କୁ ଏବେ ବି ଜଣା ନାହିଁ। ସ୍ବାଧୀନତା ପରେ ଭାରତ ତା’ର ସେନା ଛିଡ଼ା କରିଥିଲା। ଏହା ମାଧ୍ୟମରେ ଗୋଆକୁ କିଛି ଘଣ୍ଟା ମଧ୍ୟରେ ସ୍ବାଧୀନତା ମିଳିପାରିଥାନ୍ତା। କିନ୍ତୁ କଂଗ୍ରେସ ୧୫ ବର୍ଷ ପର୍ଯ୍ୟନ୍ତ କିଛି କରି ନ ଥିଲା” ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

Share