ରାସ୍ତା ନ ହେଲେ ନିର୍ବାଚନରେ ଜବାବ ଦେବୁ

କେନ୍ଦୁଝର,୩।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ଷଡ଼ଙ୍ଗୀ ପଞ୍ଚାୟତ ଆଙ୍କୁଡି ଗ୍ରାମ ଦୀର୍ଘ ବର୍ଷ ହେଲା ଅବହେଳିତ ହୋଇ ରହିଥିଲେ ହେଁ ସମସ୍ୟାର ସମାଧାନ ହେଉନାହିଁ। ବିଶେଷକରି ଗ୍ରାମକୁ ଯିବା ପାଇଁ ଏକ ଜଙ୍ଗଲୀ ରାସ୍ତା ରହିଛି। ବହୁ ବର୍ଷ ତଳେ ଏହି ରାସ୍ତା ନିର୍ମାଣ ହୋଇଥିଲେ ହେଁ ବର୍ତ୍ତମାନ ରକ୍ଷଣାବେକ୍ଷଣ ସାଙ୍ଗକୁ ଉନ୍ନତୀକରଣ କାମର ଅଭାବ ଯୋଗୁ ଏହା ବର୍ତ୍ତମାନ ବିପଦସଙ୍କୁଳ ଅବସ୍ଥାରେ ରହିଛି।
ଜଙ୍ଗଲୀ ରାସ୍ତାରେ ପ୍ରତ୍ୟେକ ଦିନ ଶତାଧିକ ଲୋକ ଯିବାଆସିବା କରିଥାନ୍ତି। ହେଲେ ରାସ୍ତାର ବିଭିନ୍ନ ସ୍ଥାନରେ ଖାଲଖମା ହେବା ସହ ଦବି ଯାଇଥିବାରୁ ଲୋକେ ଅସୁରକ୍ଷିତ ଭାବେ ଯାତାୟାତ କରୁଛନ୍ତି। ଏ ନେଇ ଲୋକେ ଦୁର୍ଘଟଣାର ମଧ୍ୟ ଶିକାର ହେଉଛନ୍ତି। ଏପରି କି ଉକ୍ତ ରାସ୍ତାରେ ବନ୍ୟଜନ୍ତୁଙ୍କ ମଧ୍ୟ ଭୟ ରହିଛି। ଜରୁରୀ ପରିସ୍ଥିତିରେ ଗାଁକୁ ଆମ୍ବୁଲାନ୍ସ କିମ୍ବା ଦମକଳ ଗାଡ଼ି ପହଞ୍ଚି ପାରୁ ନ ଥିବା ଗ୍ରାମବାସୀ କହିଛନ୍ତି।
ସମସ୍ୟାର ସମାଧାନ ନେଇ ସ୍ଥାନୀୟ ଜନପ୍ରତିନିଧିଙ୍କୁ ଜଣାଇଥିଲେ ମଧ୍ୟ ଶୁଣୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସମ୍ପୃକ୍ତ ଅଞ୍ଚଳର ଲୋକେ ଭୋଟ ଦେଇନାହାନ୍ତି, ତେଣୁ ସମସ୍ୟାର ସମାଧାନ କରାଯାଉ ନାହିଁ ବୋଲି ଜନପ୍ରତିନିଧି ରୋକ୍‌ଠୋକ୍‌ କହୁଥିବା ଅଞ୍ଚଳର କିଛି ପୁରୁଖା ଲୋକ ଦୁଃଖପ୍ରକାଶ କରି କହିଛନ୍ତି।
ସେହିପରି ଉକ୍ତ ରାସ୍ତାର ଜହ୍ନେଇ ନାଳ ଉପରେ ପ୍ରାୟ ୨୦ ବର୍ଷ ତଳେ ନିର୍ମିତ ପୋଲର ଅବସ୍ଥା ଶୋଚନୀୟ ହୋଇ ବିପଦପୂର୍ଣ୍ଣ ଅବସ୍ଥାରେ ପଡିରହିଛି। ବଢ଼ି ପାଣିରେ ଧୋଇହୋଇ ଦବି ଯାଇଛି। ବଡ଼ ବର୍ଷା ହେଲେ ପୋଲଟି ପାଣିରେ ଭାସିଯିବାର ମଧ୍ୟ ସମ୍ଭାବନା ରହିଛି। ଏନେଇ ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି। ପ୍ରକାଶ ଯେ, ଉକ୍ତ ରାସ୍ତା ଉପରେ ପାଖାପାଖି ୨୫ ଗ୍ରାମର ଲୋକ ଯିବାଣ୍‌ଆସିବା କରିଥାନ୍ତି।
ଅନ୍ୟପକ୍ଷେ ସରକାର ରାସ୍ତା ନିର୍ମାଣରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଉକ୍ତ ରାସ୍ତାର ନିର୍ମାଣ କାହିଁକି କରାଯାଉନାହିଁ ବୋଲି ବରିଷ୍ଠ ନାଗରିକମାନେ ମତବ୍ୟକ୍ତ କରିଛନ୍ତି। ଦୀର୍ଘ ୨୦ ବର୍ଷ ହେଲା ରାସ୍ତା କାମ ହୋଇ ବର୍ତ୍ତମାନ ନଷ୍ଟ ହୋଇଯାଇଥିଲେ ହେଁ ଉନ୍ନତୀକରଣ କାମ କରାଯାଉନାହିଁ। ରାସ୍ତା ମରାମତି କରା ନ ଗଲେ ଏହାର ଜବାବ ଆଗାମୀ ନିର୍ବାଚନରେ ଦେବେ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି। ଏ ନେଇ ଜିଲାପାଳଙ୍କୁ ଭେଟି ସମସ୍ୟା ସଂକ୍ରାନ୍ତରେ ଗୁହାରି କରିବେ ବୋଲି କହିଛନ୍ତି। ରାସ୍ତା ନିର୍ମାଣ ନେଇ ପ୍ରଶାସନିକ ଅଧିକାରୀଙ୍କୁ ଭେଟି ଜଣାଇବେ ବୋଲି ସ୍ଥାନୀୟ ଜିଲା ପରିଷଦ ସଭ୍ୟା ରମଣୀ ନାୟକ କହିଛନ୍ତି। ପ୍ରାଥମିକତା ଦେଇ ତୁରନ୍ତ ରାସ୍ତାର ଉନ୍ନତୀକରଣ କରାଯାଉ ବୋଲି ପୂର୍ବତନ ବିଧାୟକ ହୃଷୀକେଶ ନାୟକ ଦାବି କରିଛନ୍ତି।