‘ବଦଳି ନ ହେଲେ ଆତ୍ମାହୁତି’

ଡେରାବିଶ,୧୪ା୭ (ବେବର୍ତ୍ତା ଅଜୟ ଦାସ): ଜଣେ ପ୍ରଧାନ ଶିକ୍ଷକ ଅନ୍ୟତ୍ର ବଦଳି ପାଇଁ ଉଚ୍ଚ ଅଧିକାରୀଙ୍କ ନିକଟରେ ବାରମ୍ବାର ଆବେଦନ କରି ବିଫଳ ହୋଇଛନ୍ତି। ପ୍ରତିବାଦରେ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଦେବାକୁ ଲିଖିତ ଅଭିଯୋଗ କରିଛନ୍ତି। ଏଭଳି ଅଭିଯୋଗ ଡେରାବିଶ ବ୍ଲକ ଅଧୀନ ବାରିମୂଳସ୍ଥିତ ରାଧାମୋହନ ଜୀଉ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଖଗେଶ୍ୱର ନାଥ ଆଣିଛନ୍ତି। ସେ ଡେରାବିଶ ବ୍ଲକ ଶିକ୍ଷାଧିକାରୀଙ୍କୁ ବୁଧବାର ଲିଖିତ ଅଭିଯୋଗ କରିଛନ୍ତି। ସେ ଅଭିଯୋଗରେ ଦର୍ଶାଇଛନ୍ତି, ୨୦୨୦ ଅକ୍ଟୋବର ୨୧ରୁ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରି ଆସୁଛନ୍ତି। ବିଦ୍ୟାଳୟରେ କାର୍ଯ୍ୟରତ ଥିବା ୨ ସହକାରୀ ଶିକ୍ଷୟିତ୍ରୀ ବିଦ୍ୟାଳୟର କାମରେ ତାଙ୍କୁ ସହଯୋଗ କରୁ ନ ଥିବାରୁ ସେ ବିଆର୍‌ସିସି ଓ ବ୍ଲକ ଶିକ୍ଷାଧିକାରୀଙ୍କୁ ଲିଖିତ ଭାବେ ଅବଗତ କରି ଆସୁଥିଲେ। ଅଭିଯୋଗରେ ୨୦୨୩ ଶିକ୍ଷାବର୍ଷ ଆରମ୍ଭରେ ବିଦ୍ୟାଳୟରେ ପିଲାଙ୍କୁ ପାଠପଢ଼ା ସହ ଅନ୍ୟ କାର୍ଯ୍ୟ ପାଇଁ ବୈଠକ ଡକାଯାଇ ସମ୍ପୃକ୍ତ ୨ ସହକାରୀ ଶିକ୍ଷୟିତ୍ରୀଙ୍କୁ ଦାୟିତ୍ୱ ବଣ୍ଟନ କରିଥିଲେ। ହେଲେ ସେମାନେ କାର୍ଯ୍ୟ କରି ନ ଥିଲେ। ଅପରପକ୍ଷରେ ତାଙ୍କ ବିରୋଧରେ ବ୍ଲକ ଶିକ୍ଷାଧିକାରୀଙ୍କ ନିକଟରେ ଅଭିଯୋଗ ଆଣିଥିଲେ। ୨ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଓ ୨ ସିଆର୍‌ସିସିଙ୍କ ଦ୍ୱାରା ଏହାର ତଦନ୍ତ କରାଯାଇ ଶିକ୍ଷୟିତ୍ରୀ ଦ୍ୱୟଙ୍କ ଦ୍ୱାରା ହୋଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଛ ବୋଲି ପ୍ରମାଣିତ ହୋଇଥିଲା। ପରେ ଶିକ୍ଷୟିତ୍ରୀ ଦ୍ୱୟ ତାଙ୍କ ନାମକୁ ଯୋଡ଼ି ବିଭିନ୍ନ ପ୍ରକାର ଖରାପ ମନ୍ତବ୍ୟ ବିଦ୍ୟାଳୟର କାନ୍ଥ ଓ ପାଚେରି ଇତ୍ୟାଦିରେ ଖଳ ପ୍ରକୃତିର ଲୋକଙ୍କ ସହାୟତାରେ ଲେଖିଥିଲେ। ପରେ ସେହି ବିଦ୍ୟାଳୟରୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ବ୍ଲକ ଓ ଜିଲା ଶିକ୍ଷାଧିକାରୀଙ୍କ ନିକଟରେ ୨୦୨୨ ମସିହାରୁ ବାରମ୍ବାର ଆବେଦନ କରି ଆସୁଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଇ ନ ଥିଲେ। ସେ ଉଚ୍ଚ ରକ୍ତଚାପ, ମଧୁମେହ ଓ କର୍କଟ ଜନିତ ରୋଗରେ ପୀଡ଼ିତ ହୋଇ ବିଦ୍ୟାଳୟରେ ବିଭିନ୍ନ ମାନସିକ ଯନ୍ତ୍ରଣା ଭୋଗୁଥିବା ଅଭିଯୋଗରେ ନାଥ ଦର୍ଶାଇଛନ୍ତି। ଦୀର୍ଘ ୯ ମାସ ଧରି ତାଙ୍କୁ ଚାହୁଁଥିବା ପ୍ରାଥମିକ ବିଦ୍ୟାଳୟକୁ ସ୍ଥାନାନ୍ତର ପାଇଁ କାକୁତି ମିନତି କରୁଥିଲେ ମଧ୍ୟ ବ୍ଲକ ଶିକ୍ଷାଧିକାରୀ କୌଣସି ପଦକ୍ଷେପ ନେଉନାହାନ୍ତି। ଅପରପକ୍ଷରେ ଆସନ୍ତା ୧୫ ସୁଦ୍ଧା ତାଙ୍କୁ ଅନ୍ୟ ବିଦ୍ୟାଳୟକୁ ବଦଳି କରା ନ ଗଲେ ଆସନ୍ତା ୧୭ ତାରିଖରେ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଦେବେ। ସେ ସମୟରେ ଯଦି କୌଣସି ସାମାଜିକ ଓ ବ୍ୟକ୍ତିଗତ ଦୁର୍ଘଟଣା ଘଟିବ ସେଥିପାଇଁ ବ୍ୟକ୍ତିଗତ ଭାବେ ବ୍ଲକ ଶିକ୍ଷାଧିକାରୀ ଦାୟୀ ରହିବେ ବୋଲି ଖଗେଶ୍ୱର ତାଙ୍କ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି। ଏ ସମ୍ପର୍କରେ ବ୍ଲକ ଶିକ୍ଷାଧିକାରୀ ଶ୍ରୀକାନ୍ତ କୁମାର ବେହେରାଙ୍କୁ ପଚାରିବାରେ ଖଗେଶ୍ୱରଙ୍କ ପାଖରୁ ଆସିଥିବା ଅଭିଯୋଗକୁ ଜିଲା ଶିକ୍ଷାଧିକାରୀଙ୍କ ନିକଟକୁ ପଠାଇ ଦିଆଯାଇଛି। ତାଙ୍କର ବଦଳିର କ୍ଷମତା ନ ଥିବାରୁ ଏହି ଘଟଣା ଉପରେ ସେ କୌଣସି ପଦକ୍ଷେପ ନେଇପାରିବେ ନାହିଁ ବୋଲି ସେ କହିଛନ୍ତି। ଏ ସଂକ୍ରାନ୍ତରେ ଜିଲା ଶିକ୍ଷାଧିକାରୀ ଶୁଭଲକ୍ଷ୍ମୀ ନାୟକଙ୍କୁ ପଚାରିବାରେ ଏହି ଘଟଣାର ସତ୍ୟାସତ୍ୟ ଉପରେ ଖୁବ୍‌ଶୀଘ୍ର ତଦନ୍ତ କରାଯିବ। ତଦନ୍ତ ପରେ ସେ ଯାହାକିଛି ପଦକ୍ଷେପ ନେବେ ବୋଲି କହିଛନ୍ତି। ତେବେ ଖଗେଶ୍ୱର ବ୍ଲକ ଶିକ୍ଷାଧିକାରୀଙ୍କ ନିକଟରେ କରିଥିବା ଅଭିଯୋଗର ନକଲ ୫-ଟି ସଚିବ, ଗଣିଶିକ୍ଷା ବିଭାଗର ନିର୍ଦ୍ଦେଶକ, କେନ୍ଦ୍ରାପଡ଼ା ଜିଲାପାଳ, ପାଟକୁରା ବିଧାୟିକା, ଜିଲା ପରିଷଦ ସଭାପତିଙ୍କ ନିକଟକୁ ପଠାଇଛନ୍ତି।

Share