ନୂଆଦିଲ୍ଲୀ,୨୮ା୨: ଗୋଟିଏ ପାହ୍ୟା, ଗୋଟିଏ ପେନ୍ସନ (ଓଆର୍ଓପି)ରେ ସେନାବାହିନୀର ଯୋଗ୍ୟ ପେନସନ୍ଭୋଗୀଙ୍କୁ ୪ କିସ୍ତିରେ ବକେୟା ପୈଠ କରିବା ପାଇଁ ଏକ ବିଜ୍ଞପ୍ତି ଉପରେ ସୁପ୍ରିମକୋର୍ଟ ସୋମବାର ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଭର୍ତ୍ସନା କରିଛନ୍ତି। ବିଭାଗକୁ ସଜାଡ଼ିବା ସହ ଯଦି ବିଜ୍ଞପ୍ତି ପ୍ରତ୍ୟାହାର କରା ନ ଯାଏ, ତେବେ ଅଦାଲତ ଅବମାନନା ନୋଟିସ ପଠାଯିବ ବୋଲି ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମନ୍ତ୍ରଣାଳୟକୁ ଚେତାବନୀ ଦେଇଛନ୍ତି। ଓଆର୍ଓପିକୁ ନେଇ ସର୍ବୋଚ୍ଚ ଅଦାଲତ ଦେଇଥିବା ରାୟକୁ କାର୍ଯ୍ୟକାରୀ କରାଯିବା ଆବଶ୍ୟକ। କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ କିସ୍ତିରେ ବକେୟା ପୈଠ କରିବାକୁ ନିଷ୍ପତ୍ତି ନିଆଗଲା କାହିଁକି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ। ୪ଟି ବଦଳରେ ଗୋଟିଏ କିସ୍ତିରେ ବକେୟା ପେନ୍ସନ ପୈଠ କରିବାକୁ ନିର୍ଦ୍ଦେଶ ଦେବା ନିମନ୍ତେ ପୂର୍ବତନ ସେନା କର୍ମଚାରୀମାନଙ୍କ ଏକ ସଂଗଠନ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ମାର୍ଚ୍ଚ ୧୫ ସୁଦ୍ଧା ସମସ୍ତ ବକେୟା ପେନ୍ସନ ପୈଠ କରିବାକୁ ଗତ ଜାନୁୟାରୀ ୯ରେ ସୁପ୍ରିମକୋର୍ଟ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ। ଏହି ବକେୟାକୁ ୪ଟି କିସ୍ତିରେ ଦେବା ଲାଗି ଜାନୁୟାରୀ ୨୦ରେ ପ୍ରତିରକ୍ଷା ସଚିବାଳୟ ବିଜ୍ଞପ୍ତି ଜାରି କରିଥିଲା।