
ନୂଆଦିଲ୍ଲୀ,୨୩।୨: ଭାରତ-ପାକିସ୍ତାନ ମ୍ୟାଚ୍କୁ କ୍ରିକେଟ ପ୍ରଶଂସକ ଅପେକ୍ଷା କରି ରହିଥାନ୍ତି। କାରଣ ଉଭୟ ଟିମ୍କୁ ଚିର ପ୍ରତିଦ୍ୱନ୍ଦ୍ୱୀ କୁହାଯାଉଥିବା ବେଳେ ଏହି ମ୍ୟାଚ୍ର କ୍ରେଜ୍ ଅଧିକ ଥାଏ। ଏମିତିରେ କୌଣସି ଟିମ୍ ପରାଜିତ ହେଲେ ରାଗରେ ପ୍ରଶଂସକମାନେ ଟିଭି ଭାଙ୍ଗି ଦେଇଥାନ୍ତି। କିନ୍ତୁ ଏଥର ଯଦି ଭାରତଠାରୁ ପାକିସ୍ତାନ ହାରିଯାଏ ତେବେ ପାକିସ୍ତାନରେ ଟିଭି ସେଟ୍ ଭାଙ୍ଗିବା ଘଟଣା ଦେଖାଯାଇ ନପାରେ। ଏହା ପଛର କାରଣ ଜଣେ ପୂର୍ବତନ ପାକିସ୍ତାନୀ କ୍ରିକେଟର କହିଛନ୍ତି।
ଏପର୍ଯ୍ୟନ୍ତ ଭାରତ ଠାରୁ ମ୍ୟାଚ୍ ହାରିବା ପରେ ପାକିସ୍ତାନରେ ଟିଭି ଭାଙ୍ଗିଯିବା ଖବର ସାଧାରଣ ଥିଲା। ୯୦ ଦଶକରେ ଏପରି ଘଟଣା ଅଧିକ ଘଟୁଥିଲା, ଯାହା ସମୟ ପରିବର୍ତ୍ତନ ସହିତ ସାମାନ୍ୟ ହ୍ରାସ ପାଇଛି। କିନ୍ତୁ ପୂର୍ବତନ ଭେଟେରାନ ପାକିସ୍ତାନୀ କ୍ରିକେଟର ବାସିଲ ଅଲି କହିଛନ୍ତି ଯେ ଏଥର ଭାରତଠାରୁ ହାରିବା ପରେ ପାକିସ୍ତାନରେ ଟିଭି ଭାଙ୍ଗିଯିବାର କୌଣସି ଘଟଣା ଘଟିବ ନାହିଁ।
୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ଦୁବାଇରେ ଅନୁଷ୍ଠିତ ହେବାକୁ ଯାଉଛି। ଦୁବାଇରେ ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ଏକଦିବସୀୟ ମ୍ୟାଚ୍ରେ ଭାରତର ୧୦୦ ପ୍ରତିଶତ ବିଜୟ ରେକର୍ଡ ରହିଛି। ଏହି ରେକର୍ଡ ମଧ୍ୟରେ ବାସିଲ ଅଲି କହିଛନ୍ତି ଯେ ଯଦି ପାକିସ୍ତାନ ଭାରତଠାରୁ ଏକପାଖିଆ ଭାବେ ପରାଜୟର ସମ୍ମୁଖୀନ ହୁଏ, ତେବେ ଏଥର ପାକିସ୍ତାନରେ ଟିଭି ଭାଙ୍ଗିବ ନାହିଁ। ଏହା ନ ହେବାର କାରଣସ୍ବରୂପ ସେ ପାକିସ୍ତାନର ଦୁର୍ଦ୍ଦଶା ଏବଂ ସେଠାକାର ବର୍ତ୍ତମାନର ପରିସ୍ଥିତିକୁ ଦର୍ଶାଇଛନ୍ତି। ବାସିତ କହିଛନ୍ତି ଯେ ପାକିସ୍ତାନର ଅର୍ଥନୈତିକ ବ୍ୟବସ୍ଥା ଏତେ ଖରାପ ଅବସ୍ଥାରେ ଅଛି ଯେ ଏଥର ଲୋକମାନେ ଟିଭି ଭାଙ୍ଗିବେ ନାହିଁ।
କହିରଖୁଛୁ, ବାସିତ ଅଲି ୧୯୯୩ ମସିହାରେ ପାକିସ୍ତାନ ପାଇଁ ଡେବ୍ୟୁ କରିଥିଲେ। ସେ ୧୯ଟି ଟେଷ୍ଟ ଏବଂ ୫୦ଟି ଦିନିକିଆ ଖେଳି ୨ଟି ଶତକ ସହିତ ୨୦୦୦ରୁ ଅଧିକ ଆନ୍ତର୍ଜାତୀୟ ରନ କରିଛନ୍ତି। ବାସିତ ଅଲି ତାଙ୍କ ବୟାନ ପାଇଁ ଖବରରେ ରହିଥାନ୍ତି। ତାଙ୍କର ଏକ YouTube ଚ୍ୟାନେଲ ମଧ୍ୟ ଅଛି।