Categories: ଜାତୀୟ

ପ୍ରଧାନମନ୍ତ୍ରୀ ଆମ କଥା ନ ଶୁଣିଲେ ରେଲୱେ ଟ୍ରାକ୍‌ରେ ହେବ ଧାରଣା: କୃଷକ ନେତା

ନୂଆଦିଲ୍ଲୀ,୧୦ ।୧୨: କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ଦୀର୍ଘ ୧୫ ଦିନ ହେବ ଦିଲ୍ଲୀ ସୀମାରେ ଆନ୍ଦୋଳନରେ ବସିଛନ୍ତି ବିଭିନ୍ନ ରାଜ୍ୟର କୃଷକ । ବୁଧବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଯେଉଁ ପ୍ରସ୍ତାବ ଦିଆଯାଇଥିଲା ସେଥିରେ କୃଷକ ସଙ୍ଗଠନ ରାଜି ହୋଇ ନାହାନ୍ତି । ଏହାପୂର୍ବରୁ ମଧ୍ୟ କେନ୍ଦ୍ର ସରକାରଙ୍କ ସହ ୫ରାଉଣ୍ଡ କଥା ସରିଥିଲେ ବି ତା’ର କୌଣସି ସୁଫଳ ମିଳି ନ ଥିଲା । ଏବେ ସାରା ଦେଶରେ କୃଷକ ଆନ୍ଦୋଳନକୁ ଆହୁରି ଅଧିକ କରିବାକୁ ସଙ୍ଗଠନ ଚେତାବନୀ ଦେଇଛି । ତେବେ କେନ୍ଦ୍ର ସରକାର କୃଷି ଆଇନକୁ ରଦ୍ଦ ନ କରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛି କୃଷକ ସଙ୍ଗଠନ । ଅନ୍ୟପଟେ ଗୁରୁବାର କୃଷିମନ୍ତ୍ରୀ ନରେନ୍ଦ୍ର ତୋମାର କେନ୍ଦ୍ର ସରକାରଙ୍କ ପକ୍ଷ ନେଇ ପ୍ରେସ କନଫରେନ୍ସ ଜରିଆରେ ଆନ୍ଦୋଳନରୁ ହଟିଯିବାକୁ କୃଷକମାନଙ୍କୁ ଅନୁରୋଧ କରିଛନ୍ତି । ହେଲେ କୃଷକ ସଙ୍ଗଠନ କହିଛି ପ୍ରଧାନମନ୍ତ୍ରୀ ଗୋଟିଏ କଥା କହୁଥିବା ବେଳେ ସ୍ୱରାଷ୍ଟ୍ରମନ୍ତ୍ରୀ ଆଉ ଗୋଟିଏ କଥା କହୁଛନ୍ତି ପୁଣି କୃଷି ମନ୍ତ୍ରୀଙ୍କ କଥା ବି ସମ୍ପୂର୍ଣ୍ଣ ଅଲଗା । ତେଣୁ ଏବେ କୃଷକ ସଙ୍ଗଠନ ଏକାଠି ହୋଇଯାଆନ୍ତୁ ଓ ସରକାର ମଧ୍ୟ ଏକ ହୋଇ ଗୋଟିଏ ନିଷ୍ପତ୍ତି ନିଅନ୍ତୁ ବୋଲି କୃଷକ ନେତା ବୁଟ୍ଟା ସିଂ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମ କଥା ନ ଶୁଣନ୍ତି ଅର୍ଥାତ୍ କୃଷି ଆଇନକୁ ରଦ୍ଦ ନ କରନ୍ତି ତେବେ ଆନ୍ଦୋଳନ ରେଲୱେ ଟ୍ରାକ୍ ପର୍ଯ୍ୟନ୍ତ ଯିବ । କେବେ ଯିବ ତାହାର ତାରିଖ ସଂଯୁକ୍ତ କୃଷକ ମଞ୍ଚ ଖୁବଶୀଘ୍ର ଘୋଷଣା କରିବ ।

Share