Advertisement

ରଘୁବର ଯଦି ଲୋକଙ୍କ ରାଜ୍ୟପାଳ ଥିଲେ ତଡ଼ିଲ କାହିଁକି?

ନୟାଗଡ଼,୧୩।୧(ଲୋକନାଥ ମିଶ୍ର): ଓଡ଼ିଶାର ପୂର୍ବତନ ରାଜ୍ୟପାଳ ରଘୁବର ଦାସ ଝାଡ଼ଖଣ୍ଡରେ ଭାଜପାରେ ସାମିଲ ହେବା ପରେ ନୟାଗଡ଼ ବିଧାୟକ ଅରୁଣ ସାହୁ ତାଙ୍କୁ ଟାର୍ଗେଟ କରିଛନ୍ତି। ରବିବାର ନୟାଗଡ଼ରେ ଏକ ଖବରଦାତା ସମ୍ମିଳନୀରେ ଅରୁଣ ଭାଜପାକୁ ବିଭିନ୍ନ ପ୍ରଶ୍ନ କରିବା ସହିତ ଯଦି ରଘୁବର ଭଲ ରାଜ୍ୟପାଳ ଥିଲେ ତେବେ କାର୍ଯ୍ୟକାଳ ଶେଷ ପୂର୍ବରୁ ଭାଜପା ତାଙ୍କୁ କାହିଁକି ତଡ଼ିଲା ବୋଲି କହିଛନ୍ତି। ରଘୁବର ଝାଡ଼ଖଣ୍ଡ ଫେରିଗଲେ ଓ ଭାଜପାର ସଦସ୍ୟତା ଗ୍ରହଣ କଲେ ବୋଲି ଟୁଇଟ୍‌ କଲେ। ପରେ ସେ କହିଲେ ରାଜ୍ୟପାଳ ପଦ ଲାଟ୍‌ସାହେବ ପଦ ନୁହେଁ। ମୋର ପ୍ରଶ୍ନ ଯଦି ରାଜ୍ୟପାଳ ପଦବୀ ଲାଟ୍‌ସାହେବ ନୁହେଁ, ତେବେ ନିଜ କାର୍ଯ୍ୟାଳୟରେ ତାଙ୍କ ପୁଅ ଜଣେ ଅଧିକାରୀଙ୍କୁ ମାଡ଼ ମାରିଲେ। ସମ୍ପୃକ୍ତ ଅଧିକାରୀ ଗଣମାଧ୍ୟମରେ ମଧ୍ୟ କହିଲେ। ପୋଲିସରେ ଏତଲା ପରେ ବି କାର୍ଯ୍ୟାନୁଷ୍ଠାନ ହେଲାନି। ମୌଳିକ ପ୍ରଶ୍ନ ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ ନୀତିରେ ପୁଅକୁ ଖସାଇ ଦିଆଗଲା। ସିଏ ରାଜ୍ୟପାଳଙ୍କ ପୁଅ ନା ଲାଟ୍‌ସାହେବଙ୍କ ପୁଅ, ଉତ୍ତର ସେ ରଖନ୍ତୁ। ଅରୁଣ ଆହୁରି କହିଛନ୍ତି, ପୂର୍ବତନ ରାଜ୍ୟପାଳ ୩ ମାସରେ ୩୦ ଜିଲା ବୁଲିଲେ ।
ଲୋକଙ୍କ ସାଥିରେ ମିଶିଲେ। ଲୋକଙ୍କ ଅଭିଯୋଗ ଶୁଣିଲେ। ରାଜ୍ୟପାଳଙ୍କ ଅଭିଯୋଗ ଶୁଣାଣି ପରେ ଆମେ କହିଲୁ ରଘୁବର ଓଡ଼ିଶାର ରାଜ୍ୟପାଳ ନ ଥିଲେ, ସେ ଭାଜପାର ପଲିଟିକାଲ ଏଜେଣ୍ଟ ଥିଲେ।
ରାଜଭବନକୁ ଭାଜପାର ପାର୍ଟି ଅଫିସ ଭାବେ ପରିଣତ କରିଥିଲେ। ତେବେ ଭାଜପା ପକ୍ଷରୁ ଉତ୍ତର ମିଳିଲା ରଘୁବର ଲୋକପ୍ରିୟ ରାଜ୍ୟପାଳ ଥିଲେ।
ଅରୁଣୁ କହିଛନ୍ତିି ଅନୁଦାନ ଦେବା ଓ ଆର୍ଥତ୍କ ଅନୁଦାନ ନିଷ୍ପତ୍ତି ରାଜ୍ୟପାଳ ନେଇପାରିବେ ନାହିଁ। ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ସରକାର ଯାହାକିଛି ନିଷ୍ପତ୍ତି ନେଇପାରିବେ।
ତେବେ ରାଜ୍ୟପାଳ ଲୋକଙ୍କ ପାଖକୁ ଯାଇ ଅଭିଯୋଗ ଶୁଣିଲେ ଭଲ, ସେଥିରେ କିଛି ଯାଆସ ନାହିଁ। ତେବେ ତାଙ୍କ ପ୍ରଶ୍ନ ରାଜ୍ୟପାଳ ଅଭିଯୋଗ ଶୁଣିବାକୁ ଯାଇଥିଲେ ନା ଭାଜପାର ସ୍ଥିତି ପରଖୁଥିଲେ ନା ବିଜେଡିକୁ ବଦନାମ କରିବାକୁ ଯାଇଥିଲେ ।
ଭାଜପା ସରକାର ଆସିବା ପରେ ଅଭିଯୋଗ କ’ଣ ସମାଧାନ ହେଲା କି ? ରାଜ୍ୟ ସରକାରଙ୍କୁ ପ୍ରଶ୍ନ ରଘୁବର ଯେତିକି ଅଭିଯୋଗ ଆଣିଥିଲେ ୭ମାସ ଭିତରେ କେତୋଟି ସମାଧାନ କରିଛନ୍ତି। ପୂର୍ବତନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ନାଁ ନେଇ ଅରୁଣ କହିଲେ, ଭଲ ରାଜ୍ୟପାଳ କହିଲେ ଲୋକେ ଗଣେଶୀ ଲାଲଙ୍କୁ ୧୦୦ରୁ ୧୦୦ ନମ୍ବର ଦେବେ।
ରଘୁବର ଦାସ କିଏ ବୋଲି ପଚାରିଲେ ୩୦ ପାସ୍‌ ନମ୍ବର ପାଇବେ ନାହିଁ। ରଘୁବର ଯଦି ଲୋକଙ୍କ ରାଜ୍ୟପାଳ ଥିଲେ ତେବେ ୫ ବର୍ଷ ପୂର୍ବରୁ କାହିଁକି ତାଙ୍କୁ ବିଦା କରିଦିଆଗଲା ବୋଲି ଅରୁଣ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share