କୋଲକାତା,୨୯।୩: ତୃଣମୂଳ କଂଗ୍ରେସର ସାଧାରଣ ସମ୍ପାଦକ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଅନୁସୂଚିତ ଜନଜାତିଙ୍କ ଭାବନାକୁ ଆଘାତ ଦେଇଥିବାରୁ ତାଙ୍କ ସଦସ୍ୟ ପଦ ରଦ୍ଦ ପାଇଁ ଏକ ମାମଲା ଦାୟର କରିବେ।
ସହିଦ ମିନାର ଗ୍ରାଉଣ୍ଡରେ ଆୟୋଜିତ ଏକ ରାଲିକୁ ସମ୍ବୋଧିତ କରି ଅଭିଷେକ କହିଛନ୍ତି, ଆଦିବାସୀ ସମ୍ପ୍ରଦାୟର ଜଣେ ମହିଳା ମନ୍ତ୍ରୀଙ୍କୁ ଅପମାନିତ କରିଥିବାରୁ ଶୁଭେନ୍ଦୁଙ୍କୁ ବିରୋଧରେ ମାମଲା ରୁଜୁ କରିବାକୁ ସେ ଦଳର ଲିଗାଲ ସେଲ୍କୁ କହିଛନ୍ତି।
କେବଳ ଏତିକି ନୁହେଁ, ଅଭିଷେକ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି। ଯଦି ଗୋଟିଏ ସମ୍ପ୍ରଦାୟ ବିଷୟରେ ମନ୍ତବ୍ୟ ପାଇଁ ରାହୁଲ ଗାନ୍ଧୀଙ୍କ ଲୋକ ସଭା ସଦସ୍ୟତା ରଦ୍ଦ ହୋଇପାରିବେ, ତେବେ ମମତା ବାନାର୍ଜୀଙ୍କ ପ୍ରତି ହୋଇଥିବା ଅପମାନ ଏବଂ ମହିଳାଙ୍କ ଭାବନାକୁ ଆଘାତ ଦେବା ଅଭିଯୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ କାହିଁକି ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିଁ ବୋଲି ଅଭିଷେକ ପ୍ରଶ୍ନ କରିଛନ୍ତି।