ଭୁବନେଶ୍ୱର, ୮।୧(ବ୍ୟୁରୋ): ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ସ୍ବତନ୍ତ୍ର ଗାଇଡ୍ଲାଇନ୍ ଜାରି କରାଯାଇଛି। ସମସ୍ତ ବିମାନ ଯାତ୍ରୀଙ୍କ ଆର୍ଟିପିସିଆର୍ ଟେଷ୍ଟ୍କୁ ବାଧ୍ୟତାମୂଳକ କରାଯାଇଥିବାବେଳେ ଶୁକ୍ରବାରଠାରୁ ଏହା ଲାଗୁ ହୋଇଛି। ତେବେ ଏହି ନିର୍ଦ୍ଦେଶନାମାରେ ବିଏମ୍ସି ସାମାନ୍ୟ ସଂଶୋଧନ କରିଛି। ନୂତନ ନିର୍ଦ୍ଦେଶନାମା ଅନୁଯାୟୀ, ଯେଉଁ ଯାତ୍ରୀଙ୍କର ୭୨ ଘଣ୍ଟା ମଧ୍ୟରେ ଆର୍ଟିପିସିଆର୍ ରିପୋର୍ଟ ନେଗେଟିଭ୍ ରହିଥିବ ସେମାନଙ୍କର ଆଉ ଟେଷ୍ଟ କରାଯିବ ନାହିଁ। ତେବେ କୌଣସି ଯାତ୍ରୀଙ୍କଠାରେ କରୋନା ଲକ୍ଷଣ ଦେଖାଦେଲେ ସେମାନଙ୍କୁ ଆଇସୋଲେଶନରେ ରଖାଯିବା ସହ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ଉଲ୍ଲେଖ ରହିଛି। ସୂଚନାଯୋଗ୍ୟ, ଗୁରୁବାର ଜାରି ହୋଇଥିବା ଗାଇଡ୍ଲାଇନ୍ରେ ବିମାନରେ ଆସୁଥିବା ସମସ୍ତ ଯାତ୍ରୀଙ୍କର କରୋନା ଟେଷ୍ଟ ହେବ ବୋଲି ଦର୍ଶାଯାଇଥିଲା। ଏପରି କି ଡବଲ୍ ଡୋଜ୍ ଟିକା ନେଇଥିଲେ ବା ଆର୍ଟିପିସିଆର୍ ରିପୋର୍ଟ ନେଗେଟିଭ୍ ଥିଲେ ସୁଦ୍ଧା ସେମାନଙ୍କର ଟେଷ୍ଟ କରାଯିବ। ରିପୋର୍ଟ ଆସିବା ପର୍ଯ୍ୟନ୍ତ ହୋମ୍ ଆଇସୋଲେଶନରେ ରହିବେ ବୋଲି ନିର୍ଦ୍ଦେଶ ଜାରି ହୋଇଥିଲା।