ନୂଆଦିଲ୍ଲୀ : କୋଭିଡ ଯୋଗୁ ସରକାର ବିମାନ ଯାତ୍ରା ଉପରେ କଟକଣା ଲଗାଇଛନ୍ତି। ବର୍ତ୍ତମାନ ସୁଦ୍ଧା ବିମାନ ଯାତ୍ରା ସମ୍ପୂର୍ଣ୍ଣ ସ୍ବାଭାବିକ ସ୍ଥିତିକୁ ଫେରିନାହିଁ। ଦେଶ ମଧ୍ୟରେ ବିମାନ ଭଡା କ୍ଷେତ୍ରରେ ସରକାର କେତେକ ନିୟମ ଲାଗୁ କରିଛନ୍ତି। ସେହି ଆଧାରରେ କମ୍ପାନୀଗୁଡିକ ଯାତ୍ରୀଙ୍କ ଠାରୁ ଭଡା ଲାଗୁ କରିବା ଦିଗରେ ବ୍ୟବସ୍ଥା କରିଛନ୍ତି। ବିମାନ ଯାତ୍ରା କୋଭିଡ ପୂର୍ବ ସ୍ଥିତିକୁ ଫେରିବାକୁ ସମୟ ଲାଗିବ। କାରଣ ସ୍ଥିତି ଏବେ ଯାଏ ସମ୍ପୂର୍ଣ୍ଣ ସୁଧୁରି ନ ଥିବାରୁ ସରକାର ଭଡା କ୍ଷେତ୍ରରେ କଟକଣାକୁ ହଟାଇ ନାହାନ୍ତି। କୋଭିଡ ସ୍ଥିତି ସୁଧୁରିଲେ ଦେଶ ମଧ୍ୟରେ ବିମାନ ଭଡା କ୍ଷେତ୍ରରେ କମ୍ପାନୀଗୁଡିକ ଲାଗି ଲାଗୁ ହେଉଥିବା କଟକଣାକୁ ଉଠାଯିବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ବୁଧବାର କହିଛନ୍ତି। ବର୍ତ୍ତମାନ ବିମାନ କମ୍ପାନୀଙ୍କୁ ପ୍ରାୟ ୮୦% କ୍ଷମତାରେ ସେବା ଯୋଗାଣ ଲାଗି ଅନୁମତି ମିଳିଛି। ଆଗାମୀ ଦିନରେ ନିୟମରେ କୋହଳ କରାଯିବା ନେଇ ଆଶା ରହିଥିବା ପୁରୀ ସ୍ପଷ୍ଟ କରିଛନ୍ତି।